କପ୍ତିପଦା : ଜିଏସ୍ଟି ଚଢ଼ଉ ବେଳେ ତଦନ୍ତରେ ସହଯୋଗ କଲେନି ବ୍ୟବସାୟୀ। ଭାବିଥିଲେ ଏମିତି କଲେ ଚଢ଼ଉ ପାଇଁ ଆସିଥିବା ଟିମ୍ ଫେରିଯିବେ। ହେଲେ, ଜିଏସ୍ଟି ଟିମ୍ ବି ନଛୋଡ଼ବନ୍ଧା। ରାତିସାରା ବ୍ୟବସାୟୀଙ୍କ ଗୋଦାମ ଆଗରେ ଜଗି ବସିଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ। ଆଜି ଆବଶ୍ୟକ ଅନୁମତି ପରେ ତାଲା ଭାଙ୍ଗି ଗୋଦାମରେ ପଶିବା ସହ ଲକ୍ଷାଧିକ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ସେବାଦ୍ରବ୍ୟ କର ଫାଙ୍କିବା ଅଭିଯୋଗରେ ବାଲେଶ୍ବର ଓ ବାରିପଦା ଜିଏସ୍ଟି ବିଭାଗର ମିଳିତ ଟିମ୍ ଗତକାଲି କପ୍ତିପଦା, ଉଦଳା ଓ ଖୁଣ୍ଟା ବ୍ଲକ୍ର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରିଥିଲା। ତେବେ, କପ୍ତିପଦା ରଥିପୁରସ୍ଥିତ ବଟ ଟ୍ରେଡର୍ସ ଗୋଦାମରେ ଚଢ଼ଉ ବେଳେ ଧରାଛୁଆଁ ଦେଇନଥିଲେ ସଂପୃକ୍ତ ସଂସ୍ଥାର ମାଲିକ। ପୁଲିସର ସହାୟତା ନିଆଯିବାରୁ ମାଲିକ ପଦ୍ମଲୋଚନ ପାତ୍ର ଗୋଦାମ ଓ ଦୋକାନରେ ତାଲା ପକାଇ ପଳାଇଥିଲେ। ଅନ୍ୟପକ୍ଷରେ, ବିଭାଗୀୟ ଡେପୁଟି କମିସନର କୁଳମଣି ମଲ୍ଲିକଙ୍କ ନିର୍ଦ୍ଦେଶରେ ଜିଏସ୍ଟି ଟିମ୍ ରାତିସାରା ତାଙ୍କ ଦୋକାନ ଆଗରେ ଜଗି ରହିଥିଲେ।