ଜିଏସ୍‌ଟି ଯୋଗୁଁ ସମ୍ବଲପୁରୀ ଲୁଗା ବେପାର ମାନ୍ଦା

ଝାରସୁଗୁଡା: ମୋଦୀ ସରକାର ଲୋକଙ୍କ ଉପରେ ଜିଏସ୍‌ଟି ଲଦି ଦେଇ ଲକ୍ଷଲକ୍ଷ ଛୋଟ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରିଦେଇଛନ୍ତି। ବିଦେଶରୁ ବ୍ୟବସାୟୀଙ୍କୁ ଆଣି ଏଠାରେ ବ୍ୟବସାୟ କରିବା ପାଇଁ ସୁଯୋଗ ଦେଉଛନ୍ତି। ଏପରିକି, ଜିଏସ୍‌ଟି ଯୋଗୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଲୁଗାର ବେପାର ଏବେ ମାନ୍ଦାବସ୍ଥାକୁ ଆସିଯାଇଛି। ଝାରସୁଗୁଡ଼ା ସତ୍‌ସଂଗ ଭବନ ଠାରେ ଏକ ହିନ୍ଦୁ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡ଼ିଆ ଏହା କହିଛନ୍ତି। ଏହି ସମ୍ମିଳନୀରେ ଶ୍ରୀ ତୋଗାଡ଼ିଆ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ସ୍ବାଧୀନତାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ କୌଣସି ସରକାର ଗରିବ, କୃଷକ, ଛୋଟ ବ୍ୟବସାୟୀ, ବେରୋଜଗାରଙ୍କ ବିକାଶ କରିପାରି ନାହାନ୍ତି। ବିଜେପି ସରକାର ସାଢ଼େ ୪ ବର୍ଷ ଶାସନ ଗାଦିରେ ବସିଥିଲେ ମଧ୍ୟ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କରି ପାରିନାହିଁ। ଦେଶରେ ଏକ ହିନ୍ଦୁ ସରକାର ଆସିଲେ କଶ୍ମୀରରେ ପଣ୍ଡିତଙ୍କୁ ସୁରକ୍ଷା, ବାଂଲାଦେଶୀ ସମସ୍ୟା ଦୂର ସହିତ ଧାନର ଏମ୍ଏସପି ଅଢ଼େଇ ହଜାର କରିବ ବୋଲି ସେ କହିଛନ୍ତି। ଗସ୍ତ ସମୟରେ ଶ୍ରୀ ତୋଗାଡ଼ିଆ ସୋନପୁରଠାରେ ସେ ନିଜେ ସମ୍ବଲପୁରୀ ଲୁଗା ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିବା କହିଥିଲେ।

ସମ୍ବନ୍ଧିତ ଖବର