ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢ଼ଉ: ୨ ଟ୍ରକ୍‌ ଅଟକ, ୩.୩୮ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା: କଳାହାଣ୍ଡି ବାଣିଜ୍ୟକର ବିଭାଗ ପକ୍ଷରୁ ରବିବାର ଜିଏସ୍‌ଟି ଠକେଇ ଅଭିଯୋଗରେ ୨ଟି ଟ୍ରକ୍‌କୁ ଅଟକ ରଖି ୩ ଲକ୍ଷ ୩୮ ହଜାର ୫୬ ଟଙ୍କା ଜରିମାନା ଆଦାୟ କରାଯାଇଛି।
ବିଭାଗ ପକ୍ଷରୁ ପାଷ୍ଟିକୁଡ଼ି ଛକ ନିକଟରେ ଜିଏସ୍‌ଟି ଠକେଇ ନେଇ ଚଢ଼ଉ ହୋଇଥିଲା। ରାୟପୁରରୁ କେସିଙ୍ଗା ଆସୁଥିବା ସୁଶୀଲ ଟ୍ରାନ୍ସପୋର୍ଟର ଟ୍ରକ୍‌ (ସିଜି ୦୪ ଏଚ୍‌କ୍ୟୁ ୯୨୧୬)ରେ ରାସନ୍, ହାର୍ଡୱେର୍‌ ଓ ଷ୍ଟେସ୍‌ନାରି ସାମଗ୍ରୀ ଆସୁଥିଲା। ଏହି ସାମଗ୍ରୀଗୁଡ଼ିକର ଜିଏସ୍‌ଟି ବିଲ୍‌ ନଥିବା ଯୋଗୁଁ ୨ଲକ୍ଷ ୯ ହଜାର ୯୬ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ରାୟପୁରରୁ ରାୟଗଡ଼ା ଯାଉଥିବା ଶ୍ରୀ ଟ୍ରାନ୍ସପୋର୍ଟର ଟ୍ରକ୍‌ (ଓଡି-୧୮- ୪୯୭୪ରେ ହାର୍ଡୱେର, ରାସନ୍ ଓ ଫ୍ୟାନ୍‌ସି ସାମଗ୍ରୀ ଯାଉଥିଲା।

ଏହାର ଜିଏସ୍‌ଟି ବିଲ୍‌ ନଥିବା ଯୋଗୁଁ ୧ ଲକ୍ଷ ୩୫ ହଜାର ୯୬୦ ଟଙ୍କା ଜରିମାନା ଆଦାୟ କରାଯାଥିଲା। ୨ଟି ଟ୍ରକ୍‌କୁ ଭବାନୀପାଟଣା ବାଣିଜ୍ୟକର କାର୍ଯ୍ୟାଳୟକୁ ଆଣି ଅଟକ ରଖି ଯାଞ୍ଚ କରାଯାଇଥିଲା। ୨ଟି ଟ୍ରକ୍‌ରୁ ସମୁଦାୟ ୩ ଲକ୍ଷ ୩୮ ହଜାର ୫୬ ଟଙ୍କା ଜରିମାନା ଆଦାୟ ହୋଇଛି। ଜିଏସ୍‌ଟି ଡେପୁଟି କମିସନର ତପନ ପାଢ଼ୀଙ୍କ ନେତୃତ୍ୱରେ ଏହି ଚଢ଼ଉରେ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ, ଅତିରିକ୍ତ ଜିଏସ୍‌ଟି ଅଧିକାରୀ ନିହାର ସେଠ ଓ ମନୁ ମାଝୀ ପ୍ରମୁଖ ଥିଲେ।

ସମ୍ବନ୍ଧିତ ଖବର