ଓଡ଼ିଶାରେ ଫର୍ଣ୍ଣିଚର ସୋରୁମ ଓ ଗୋଦାମରେ ଜିଏସଟି ବିଭାଗର ଚଢ଼ାଉ

ଭୁବନେଶ୍ୱର: ଆଜି ରାଜ୍ୟର ଏକକାଳୀନ ୧୧ଟି ଜିଲ୍ଲାରେ ଜିଏସଟି ବିଭାଗ ରେଡ଼ କରୁଛି | ଜିଏସଟି ବିଭାଗ ପକ୍ଷରୁ ଫର୍ଣ୍ଣିଚର ଡିଲରଙ୍କ ୩୨ଟି ସୋ ରୁମ ଓ ଗୋଦାମରେ ଏକକାଳୀନ ଚଢାଉ କରାଯାଇଛି | ଭୁବନେଶ୍ୱରରେ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବାବେଳେ ଟିକସ ଫାଙ୍କିବା ଅଭିଯୋଗରେ ରେଡ଼ କରାଯାଇଛି | ମୋଟ ୧୩୬ ଜଣ ଅଫିସର ରେଡ଼ରେ ସାମିଲ ହୋଇଛନ୍ତି | କଟକ, ଭୁବନେଶ୍ୱର, ବାଲେଶ୍ବର, ବ୍ରହ୍ମପୁର, ଭଦ୍ରକ,କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜି ଇତ୍ୟାଦି ସ୍ଥାନରେ ଚଢ଼ାଉ ଚାଲିଛି |

କଣ୍ଟାବାଞ୍ଜିର ୱାର୍ଡ ନଂ ୩ରେ ଥିବା ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡ଼ର୍ସର ପ୍ଲାଇଉଡ଼ ଦୋକାନ ଓ ଗୋଦାମରେ ଚଢ଼ାଉ ଚାଲିଛି । ସେହିପରି ରାଉରକେଲା ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦରସରେ ସିଟି ଜିଏସଟି ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି । ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ଣ୍ଣିଚର କିଣି ବିକ୍ରି କରୁଥିବା ବେଳେ ଏହାର ସଠିକ ଇନଭଏସ ଦେଉ ନଥିବା ଅଭିଯୋଗ ହେଉଛି ।

ଏହାଛଡା ଇନପୁଟ ଏବଂ ଆଉଟପୁଟ ଟ୍ୟାକ୍ସର ତାଳମେଳ ରହୁନଥିବା ସନ୍ଦେହ କରାଯାଉଛି । ବୁଧବାର ପୂର୍ବାହ୍ନ ସିଟି ଜିଏସଟି ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦୁଇଟି ଟିମ ଅଶୋକା ବ୍ରଦରସ ର ସୋରୁମ ଏବଂ କାରଖାନା ଉପରେ ଚଢ଼ାଉ କରି କିଣାବିକା କାଗଜ଼ପତ୍ର ଯାଞ୍ଚ କରୁଛନ୍ତି । ଚଢ଼ାଉ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଥିଲାବେଳେ କେତେ ପରିମାଣର ଜିଏସଟି ଠକେଇ ହୋଇଛି ତାହା ଜଣାପଡିନାହିଁ ।

ସମ୍ବନ୍ଧିତ ଖବର