ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ମାଉସୀ ମନ୍ଦିର ଛକଠାରେ ଥିବା ଲାଠ ଔଷଧ ବିତରକ ଅଫିସ ତଥା ଗୋଦାମରେ ସିଟି ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଶୁକ୍ରବାର କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଡିଭିଜନର ଅଧିକାରୀମାନେ ଡେପୁଟି କମିସନର କିଶୋର ମେହେରଙ୍କ ତତ୍ତ୍ୱାବଧାନରେ ଆସି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ଔଷଧ ପତ୍ର ଯାଞ୍ଚ କରିଛନ୍ତି।

Advertisment

ପୂର୍ବରୁ ଏହି ସଂସ୍ଥା ବ୍ୟାପକ ପରିମାଣରେ ଟିକସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଏହା ଉପରେ ଏକମାସ ଧରି ସିଟି, ଜିଏସ୍‌ଟି ବିଭାଗ ନଜର ରଖିଥିଲା। ଶୁକ୍ରବାର ଅଚାନକ ଏହି ଟିମ୍‌ ଚଢ଼ଉ କରିବା ସହ ଅନେକ କାଗଜପତ୍ର ଜବତ କରିଥିଲେ। କମ୍ପ୍ୟୁଟରରେ ଥିବା ତଥ୍ୟ ସହ ଷ୍ଟକ୍‌ ଥିବା ଔଷଧକୁ ନେଇ ଯାଞ୍ଚ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା କେତେକ ଔଷଧପତ୍ରର ରେକର୍ଡ ନଥିବା ତଦନ୍ତକାରୀ ଦଳ ଜାଣିପାରିଥିବା ସୂଚନା ମିଳିଛି। ରାତିରେ ବି ଚଢ଼ଉ ଜାରି ରହିଛି, ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସିଟି, ଜିଏସଟି ବିଭାଗ ପକ୍ଷରୁ କହାଯାଇଛି। ଏହି ଚଢ଼ଉରେ ପୁଲିସ ପ୍ରଶାସନ ସାମିଲ ହୋଇଛି।