କଳିଙ୍ଗ କମର୍ସିଆଲ୍ ମାଇନ୍ସ କମ୍ପାନିରେ ଜିଏସ୍‌ଟି ଚଢ଼ଉ

ରିହାତି ଡିଜେଲ୍ ନେଇ ତନାଘନା, ଦିନକ ପୂର୍ବରୁ ଶ୍ରୀମନ୍ଦିରକୁ ଦେଇଥିଲେ କୋଟିଏ ଟଙ୍କା

ଭୁବନେଶ୍ବର : ଖଣି ବ୍ୟବସାୟ କରୁଥିବା କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍‌ ଲିମିଟେଡ୍‌ର ଭୁବନେଶ୍ବର ସମେତ ଯାଜପୁର, କାଳିଆପାଣି, ସୁକିନ୍ଦା କ୍ରୋମଭ୍ୟାଲି, କେନ୍ଦୁଝର ବଡ଼ବିଲ ଗନ୍ଧମାର୍ଦ୍ଦନ ମାଇନ୍ସ, ଦୈତାରୀ ଲୁହା ଖଣିରେ ଆଜି ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଛି। କମ୍ପାନିକୁ ରିହାତି ଦରର ମିଳୁଥିବା ଡିଜେଲକୁ କେଉଁଠି, କେମିତି ବ୍ୟବହାର କରାଯାଇଛି ନା ବିକ୍ରି କରି ଦିଆଯାଇଛି, ସେ ନେଇ ଯାଞ୍ଚ ହେଉଥିବା ସୂଚନା ମିଳିଛି। ଗତକାଲି ଶ୍ରୀମନ୍ଦିର ଉନ୍ନୟନ କାମ ‘ପରିକ୍ରମା’ ପାଇଁ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଭେଟି କଳିଙ୍ଗ କମର୍ସିଆଲ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ସାମଲ କୋଟିଏ ଟଙ୍କାର ଚେକ୍ ଦେବା ପରେ ଆଜି ଏଭଳି ଜିଏସଟିକୁ ଚଢ଼ଉକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଜିଏସ୍‌ଟିର ୬ଟି ଟିମ୍ ବରମୁଣ୍ଡାସ୍ଥିତ କମ୍ପାନିର ଅଫିସ୍‌, ଏମ୍‌ଡି ସୌମ୍ୟରଞ୍ଜନ ସାମଲଙ୍କ ଘର, ଅନ୍ୟ ଅଧିକାରୀମାନଙ୍କ ଘର, ଅଫିସ ଓ ଖଣି ଉତ୍ତୋଳନ ଏବଂ ଟ୍ରାନ୍ସପୋର୍ଟ ହେଉଥିବା ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ କାଗଜପତ୍ର ଜବତ କରିଛି ଟିମ୍। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଖଣି କମ୍ପାନି, ଠିକା କମ୍ପାନିକୁ ରିହାତି ଦରର ଡିଜେଲ୍ ମିଳେ। ଏହି ଡିଜେଲକୁ ସେମାନେ କେବଳ ଖଣିଜ ବେପାର କାମ କିମ୍ବା ଠିକା କାମରେ ଲଗାଇ ପାରିବାର ନିୟମ ରହିଛି। ଏହାକୁ ଅନ୍ୟ କାମ ଏବଂ ବିକ୍ରି କରିବା ବେଆଇନ। ଯଦି ଏପରି କରାଯାଉଥାଏ, ତାହେଲେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯଦି ବେଆଇନ ଭାବେ ଅନ୍ୟ ଜାଗାରେ ବ୍ୟବହାର କରାଯାଇଥାଏ, ତାହାଲେ ଟିକସ ମଧ୍ୟ ଆଦାୟ କରାଯାଇପାରିବ। ରିହାତି ଦରରେ ଡିଜେଲ୍ କିଣା ଓ ଏହାକୁ କେଉଁଠି ବିନିଯୋଗ କରାଯାଇଛି, ତାହାର ହିସାବ କରାଯାଉଛି। ଏହି ଚଢ଼ଉ ଜାରି ରହିଥିବା ବେଳେ ଯଦି ବେଆଇନ କାମର ପ୍ରମାଣ ମିଳେ, ତାହାଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସଂକ୍ରାନ୍ତରେ କମ୍ପାନିର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର