ରାଜ୍ୟର ୩୦ଟି ସ୍ଥାନରେ ଜିଏସ୍‌ଟି ଚଢଉ, ୨୦ ତମାଖୁ ପ୍ରସ୍ତୁତକାରୀ ପ୍ରତିଷ୍ଠାନ‌ କାଗଜପତ୍ର ଯାଞ୍ଚ

କଟକ : ରାଜ୍ୟ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ୍ ଟିମ୍ ପକ୍ଷରୁ ଗୁରୁବାର ଦିନ ରାଜ୍ୟର ୧୪ଟି ଜିଲ୍ଲାର ୨୦ଟି ତମାଖୁ ପ୍ରସ୍ତୁତ କରୁଥିବା କାରଖାନା, ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢଉ କରାଯାଇଛି। ବିଭାଗୀୟ ଅନୁସନ୍ଧାନକାରୀ ଦଳ ସୂତ୍ରରୁ ଖବର ପାଇ ପାନ ମସଲା ଓ ତମାଖୁ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢଉ କରାଯାଇଥିଲା। ଭୁବନେଶ୍ବର, କଟକ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ରାଇରଂଗପୁର, ବାଲେଶ୍ବର, ସମ୍ବଲପୁର, ବରଗଡ, ବଲଙ୍ଗୀର, ରାଉରକେଲା, ଭବାନୀପାଟଣା, କେସିଙ୍ଗା ଓ ବ୍ରହ୍ମପୁର‌ରେ ଏହି ଚଢଉ କରାଯାଇଛି। ୩୦ଟି ଟିମ୍‌ରେ ୧୨୧ ଅଫିସର ଏହି ଚଢଉରେ ସାମିଲ ହୋଇଛନ୍ତି। ଚଢଉ ବେଳେ କିଛି ସନ୍ଦେହଜନକ କାଗଜପତ୍ର, କମ୍ପ୍ୟୁଟର, ଲାପଟପ୍, ସନ୍ଦେହଜନକ କାରବାର, ଷ୍ଟକ୍ ଇତ୍ୟାଦି ଯାଞ୍ଚ କରାଯାଇଥିଲା। ସଂସ୍ଥାର ଆକାଉଣ୍ଟସ୍‌ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏପରିକି କରଦାତା କିଛି କାଗଜପତ୍ର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ବି ଟିମ୍ ଏହାକୁ ପୂର୍ବରୁ ଜବତ କରିଥିବା ଜଣାପଡିଛି।

ଚଢଉରୁ ଜଣାପଡିଥିଲା କି, କିଛି କରଦାତା ସେମାନଙ୍କ ବିକ୍ରି ଅନୁଯାୟୀ କର ଦେଉ ନାହାନ୍ତି। ଆଜି କଳାହାଣ୍ଡିର ସାଇ ଇଣ୍ଡଷ୍ଟ୍ରି, ବଲାଙ୍ଗୀର ଡେଲିମାର୍କେଟର ବାଲାଜୀ ଏଜେନ୍ସି, ରାଉକେଲା ୟୁନିଟ୍ ୩୬ ଦିନାନାଥ ଲେନର ରୌନଭ ଏଣ୍ଟରପ୍ରାଇଜ, ବରଗଡ ବଲପାଲିର ମାମଙ୍ଗଳା ଟ୍ରେଡର୍ସ, ସମ୍ବଲପୁର, ମାରୱାଡିପଡାର ପୂଜା ଏଣ୍ଟରପ୍ରାଇଜ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଷ୍ଟେସନରୋଡର ଏମ/ଏସ୍ ନାରାୟଣ ଦତ୍ତ, ମୟୁରଭଂଜ ଜିଲ୍ଲା ରାଇରଂଗପୁରର ସୀତାରାମ ଖଣ୍ଡେଲୱାଲ, କେନ୍ଦୁଝର ଜିଲ୍ଲା ଶ୍ରୀପୁରର ଶିବଶକ୍ତି ଟ୍ରେଡର୍ସ, ଭଦ୍ରକ ଶଙ୍କରପୁରର ଅବଦୁଲ୍ଲ ଖଲିକ, ବ୍ରହ୍ମପୁର, ୫ ନଂ ୱାର୍ଡର ବଳରାମ ଷ୍ଟୋର, କଟକ, ମଙ୍ଗୁଳିର ଗୋପାଲ ଅରୋମେଟିକସ୍, ଜଗତପୁରର ଲିଙ୍ଗରାଜଟ୍ରେଡିଂ, ମହତାବରୋଡର କଳିଙ୍ଗ ଟ୍ରେଡର୍ସ, କେନ୍ଦ୍ରାପଡାର ଜ୍ୟୋସ୍ନା ଉଦ୍ୟୋଗ, ପୁରୀ ଚନ୍ଦନପୁରର କୌଶିକ ଏଣ୍ଟରପ୍ରାଇଜେସ୍, ଭୁବନେଶ୍ବର ରସୁଲଗଡର ଜଗନ୍ନାଥ ମଲଟି ଫୁଡ ଆଣ୍ଡ୍ ଟବାକୋ ଓ ଭୁବନେଶ୍ବରର ଡିଭାଇନ୍ ଭାଚୁସ ପ୍ରାଇଭେଟ୍ ଲିମିଟେଡ ଉପରେ ଚଢଉ କରାଯାଇଥିଲା। ଏହା ପୂର୍ବରୁ ଗହଣା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢଉ କରାଯାଇ ୯.୮୨ କୋଟି ଟଙ୍କା ଓ ଫର୍ଣ୍ଣିଚର ପ୍ରତିଷ୍ଠାନରୁ ୨.୫୧ କୋଟି ଟଙ୍କା ଜିଏସଟି ବାବଦକୁ ଆଦାୟ କରାଯାଇ ସରକାରୀ ଖାତାରେ ଜମା କରାଯାଇଥିଲା।

ସମ୍ବନ୍ଧିତ ଖବର