ଜିଏସ୍‌ଟି ଆଳ : ୬ ମାସ ହେଲା ଅଟକିଛି ୨୯ କୋଟିର କାମ

କଟକ : କଟକ ମହାନଗର ନିଗମର ପ୍ରତ୍ୟେକ ଓ୍ଵାର୍ଡରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ଗଲା ୬ ମାସ ହେଲା ଅଟକି ରହିଛି। ଅର୍ଥାତ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ମୋଟ ୫୯ଟି ଓ୍ଵାର୍ଡ ପାଇଁ ଆସିଥିବା ୨୯ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗ ହୋଇପାରୁ ନାହିଁ। ଗଲା ୬ ମାସ ଭିତରେ ୩ ଥର ଏହି ଟଙ୍କା ବିନିଯୋଗ ପାଇଁ ବିଭିନ୍ନ କାମର ଅଟକଳ ପ୍ରସ୍ତୁତ ହୋଇଥିଲେ ବି ତାହା ବାତିଲ ହୋଇଛି। ଏଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଜିଏସ୍‌ଟିକୁ ଆଳ କରୁଛନ୍ତି। କିନ୍ତୁ ଅନ୍ୟ ବିଭାଗରେ ଉନ୍ନୟନ କାମ ସହଜରେ ଚାଲୁଥିବା ବେଳେ କେବଳ ସିଏମ୍‌ସିରେ କାହିଁକି ଜିଏସ୍‌ଟି ସମସ୍ୟା ହେଉଛି ବୋଲି ଅନେକ ବରିଷ୍ଠ କର୍ପୋରେଟର ପ୍ରଶ୍ନ କରିଛନ୍ତି।

ଏ ପ୍ରକାର ଅବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ କର୍ପୋରେଟରଙ୍କ ମଧ୍ୟରେ ବି ପ୍ରତିକ୍ରିୟା ବଢିବାରେ ଲାଗିଛି। ଅନେକ କର୍ପୋରେଟର ଏଥିପାଇଁ ଯନ୍ତ୍ରୀ ମାନଙ୍କୁ ଦାୟୀ କରିଛନ୍ତି। ବିଜେପି-ବିଜେଡି ଭିତରେ ବଢୁଥିବା ଲଢେଇ, ଆଗୁଆ ନିର୍ବାଚନ ଆଶଙ୍କା ଭଳି ସ୍ଥିତିରେ କର୍ପୋରେଟରମାନେ ଏହି ଟଙ୍କା ହୁଏତ ସେମାନଙ୍କ ଓ୍ଵାର୍ଡ ପାଇଁ ଶେଷ ଅନୁଦାନ ବୋଲି ଆକଳନ କରୁଛନ୍ତି। ୬ ମାସ ପୂର୍ବରୁ କାମ ଆରମ୍ଭ ହୋଇ ଶେଷ ହୋଇଥିଲେ ହୁଏତ ଆଉ ଗୋଟିଏ ଦଫାରେ ଓ୍ଵାର୍ଡ ଉନ୍ନୟନ ପାଇଁ ଟଙ୍କା ଆସିବା ସହଜ ହୋଇଥାନ୍ତା। କିନ୍ତୁ ଏଯାଏ ଏହି କାମ ପାଇଁ ଟେଣ୍ଡର ହୋଇ ପାରି ନଥିବା ବେଳେ ଯଦି ଚଳିତ ମାସ ଶେଷ ବେଳକୁ ଟେଣ୍ଡର ପ୍ରକାଶ ପାଏ ତେବେ ବି ଟେଣ୍ଡର ଚୂଡାନ୍ତ ହୋଇ କାମ ଶେଷ ହେଲା ବେଳକୁ ୪ରୁ ୬ ମାସ ଲାଗି ଯିବ। ଏଭଳି ସ୍ଥିତିରେ ୨୦୧୮ରେ ଓ୍ଵାର୍ଡ ପାଇଁ ଅଧିକ ଅନୁଦାନ ଆଣିବା ହୁଏତ ସମ୍ଭବ ହେବ ନାହିଁ। ରାସ୍ତା, ଡ୍ରେନ୍‌ ତଥା ଅନ୍ୟ ମୌଳିକ ଭିତ୍ତିଭୂମିରେ ସୁଧାର ପାଇଁ ଏହି ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ଏ ଦିଗରେ କର୍ତ୍ତୃପକ୍ଷ ତ୍ୱରାନ୍ଵିତ ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଉଭୟ ଶାସକ ଦଳ ଓ ବିରୋଧୀ କର୍ପୋରେଟର ମତ ଦେଇଛନ୍ତି। ତୁରନ୍ତ ଅଟକଳ ପ୍ରକ୍ରିୟା ଶେଷ କରି ଟେଣ୍ଡର ଆହ୍ଵାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି କର୍ପୋରେଟର ଚିରଂଜୟ ସାହୁ ମତ ଦେଇଛନ୍ତି।

ଅନ୍ୟପଟେ କମିସନର ବିକାଶ ମହାପାତ୍ର କହିଛନ୍ତି ଯେ ଜିଏସ୍‌ଟି ପାଇଁ ଅଟକଳ ଚୂଡାନ୍ତ ସମସ୍ୟା ହେଉଥିଲା। ବର୍ତ୍ତମାନ ୧୨ ପ୍ରତିଶତ ଜିଏସ୍‌ଟିରେ ସବୁ କାମକୁ ପୁନଃ ଅଟକଳ କରାଯାଉଛି। ଏହି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହୋଇ ଟେଣ୍ଡର ଆହ୍ଵାନ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର