ଭୁବନେଶ୍ବର: ଚାରିଥାକିଆ ଜିଏସ୍‌ଟି ସ୍ଲାବ୍‌କୁ ଦୁଇଥାକିଆ କରିବା ଲାଗି ଜିଏସଟି ପରିଷଦର ଆଗାମୀ ବୈଠକ ଆସନ୍ତା ସେପ୍ଟେମ୍ବର ୩ ଓ ୪ରେ ଅନୁଷ୍ଠିତ ହେବ। ‌ତେବେ ଜିଏସ୍‌ଟି ସ୍ଲାବ୍‌ରେ ହ୍ରାସ ଘଟିଲେ ରାଜ୍ୟଗୁଡ଼ିକର ଯେଉଁ କ୍ଷତି ହେବ, ତାହାକୁ କିଏ ଭରଣା କରିବ ତାହା ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆଠଟି ଅଣ ଏନ୍‌ଡିଏ ଶାସିତ ରାଜ୍ୟ ଏହାକୁ ଏକ ପ୍ରସଙ୍ଗ କରିବେ। ରାଜସ୍ବ ହାନି ବାବଦ କ୍ଷତିପୂରଣ ଦେବା ଲାଗି କିଛି ବ୍ୟବସ୍ଥା କରାଯିବ ନା ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକ ଆକଳନରୁ ଜଣାପଡ଼ିଛି ଯେ ଜିଏସ୍‌ଟି ସ୍ଲାବ୍‌ ହ୍ରାସ ପାଇଲେ ରାଜ୍ୟଗୁଡ଼ିକର ଜିଏସ୍‌ଟି ସଂଗ୍ରହ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ତାହା ରାଜ୍ୟର ବ୍ୟୟ କ୍ଷମତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଓଡ଼ିଶାରେ ମାସକୁ ହାରାହାରି ୫୦୦୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଉଛି। ସ୍ଲାବ୍‌ କମିଲେ ଏହା ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତର ରାଜସ୍ବ ହରାଇବା ଆଶଙ୍କା ରହିଛି।

Advertisment

ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ନିଜ ଆଶଙ୍କାକୁ ଜିଏସ୍‌ଟି ପରିଷଦ ସାମନାରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶାର ଆଭିମୁଖ୍ୟ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ବିକଶିତ ଓଡ଼ିଶା ୨୦୨୬ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଏସ୍‌ଟି କମିଲେ ଅର୍ଥନୀତିକୁ ଯେଉଁ ଲାଭ ମିଳିବ ତାହା ଉପରେ ଆଲୋକପାତ କରିଥିଲେ। ଏହା ଦ୍ବାରା ଉପଯୋଗିତା ବଢ଼ିବ, ବିନିର୍ମାଣ କ୍ଷେତ୍ର ଆହୁରି ଦୃଢ଼ ହେବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ। କିନ୍ତୁ ଜିଏସ୍‌ଟି କ୍ଷତିପୂରଣ ସମ୍ପର୍କରେ ସେ କିଛି କହିନଥିଲେ।

କେନ୍ଦ୍ର ସରକାରଙ୍କ ଏକ ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ପ୍ରାୟ ୧୬,୧୬୫ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦରେ ସରକାର ୩୦୦୦ କୋଟି ଟଙ୍କା ପାଇବା ଆଶା କରୁଛନ୍ତି। ଜିଏସ୍‌ଟି ଥିଲା ଦେଶର ସବୁଠୁ ବଡ଼ ପରୋକ୍ଷ ଟିକସ ସଂସ୍କାର। ଏଥିରେ ୧୭ଟି ପରୋକ୍ଷ ଟିକସକୁ ମିଶାଇ ଜିଏସ୍‌ଟି ପରିକଳ୍ପନା କରାଯାଇଥିଲା ଓ ତାହାକୁ ୨୦୧୭ ଜୁଲାଇ ୧ରୁ ଲାଗୁ କରାଯାଇଥିଲା। ଏହି ସଂସ୍କାର ପ୍ରଭାବରେ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା କରିବା ଲାଗି ସେମାନଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହି ପାଣ୍ଠି ସଂଗ୍ରହ କରିବା ଲାଗି ହାନିକାରକ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ସ୍ବତନ୍ତ୍ର ସେସ୍‌ ଲଗାଯାଇଥିଲା। ୨୦୧୭-୧୮ରେ ଓଡ଼ିଶାକୁ ୨୩୪୮ କୋଟି ଟଙ୍କା, ୨୦୧୮-୧୯ରେ ୪୨୪୧ କୋଟି ଟଙ୍କା, ୨୦୧୯-୨୦ରେ ୫୩୩୨ କୋଟି ଟଙ୍କା, ୨୦୨୦-୨୧ରେ ୪୨୪୩ କୋଟି ଟଙ୍କା ମିଳିଥିଲା। ୨୦୨୧-୨୨ ଓ ୨୦୨୨-୨୩ରେ ରାଜ୍ୟକୁ କୌଣସି ଜିଏସ୍‌ଟି କ୍ଷତିପୂରଣ ଜାରି କରାଯାଇନଥିଲା।