ଘୁ.ଉଦୟଗିରି: ଝିଅକୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରି ଜଣେ ୧୬ବର୍ଷିଆ ନାବଳିକାର ବାପା ନିଜ ଝିଅର ମୃତ୍ୟୁର ୨୨ମାସ ପରେ ସ୍ଥାନୀୟ ପୁଲିସରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି  ଏବଂ କବର ଦିଆଯାଇଥିବା ମୃତ ନାବଳିକାର ଶବକୁ  ବାହାର କରି ବ୍ରହ୍ମପୁର ମେଡ଼ିକାଲ କଲେଜ ଏଫଏମଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

Advertisment

ପ୍ରାପ୍ତ ସୂଚନାନୁସାରେ, ଗତ ୨୦୧୮ ମସିହା ଫେବ୍ରୁଆରି ମାସ ୧ତାରିଖ ଘଟଣା। ଘୁ.ଉଦୟଗିରି ଥାନା ଅନ୍ତର୍ଗତ କୁମ୍ଭାରକୁପା ଗ୍ରାମର ଯିହୋଶୂୟ ନାୟକଙ୍କ ୧୬ ବର୍ଷର ସାନ ଝିଅ ଜେ ଏସ ସେଲିବ୍ରେଟ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତଦୁଇର ପ୍ରଥମ ବର୍ଷରେ ପାଠ ପଢୁଥିଲେ। ସେଇ ଦିନ ଘରେ କେହି ନ ଥିଲେ ଓ ପରିବାର ଲୋକ ବଜାର ଯାଇଥିଲେ। ସାନ ଝିଅ ଏବଂ ଜେଜେବାପା ଦୁହେଁ ଥିଲେ। ବଡ଼ ଜ୍ବାଇଁ ଆସି ସେଲିବ୍ରେଟକୁ ନିଜ ବାଇକରେ ବସେଇ ବଜାରକୁ ନେଇ ଗଲେ । ବଜାରରେ ତାଙ୍କ ପାଇଁ ଡ୍ରେସ ହଳେ କିଣି ଘରକୁ ଫେରିଲେ । ଘରକୁ ଫେରି ଜେଜେବାପାଙ୍କୁ ୨୦ ଟଙ୍କା ଦେଇ ବାହାରକୁ ପଠେଇ ଦେଇଥିଲେ।

publive-image The Jakarta Post

ଏହାର କିଛି ଘଣ୍ଟା ପରେ ସେଲିବ୍ରେଟର ବଡବାପା ଝିଅ ଭଉଣୀ ରାଜବାଳା ଘରେ ପହଞ୍ଚି ସେଲିବ୍ରେଟକୁ ତଳେ ପେଟେଇକି ଶୋଇଥିବା ଓ ବଡ଼ ଜ୍ୱାଇଁ ସ୍ମରଜିତ ନାୟକଙ୍କୁ ଝାଳନାଳ ହୋଇ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ। କିଛି ସମୟ ପରେ ବାପାମା ଘରକୁ ଫେରି ଦେଖିଲେ ଝିଅ ଏକ ତଉଲିଆରେ ନିଜ ବେକକୁ ବାନ୍ଧି ଫ୍ୟାନ୍‌ ଝୁଲି ଯାଇଛି।

ସଙ୍ଗେସଙ୍ଗେ ସେଲିବ୍ରେଟକୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଝିଅକୁ ଦେଖିବା ପରେ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର। ସେଇ ସମୟରେ ପୁଲିସକୁ ଖବର ଦିଆଯାଇ ନ ଥିଲା। ସଙ୍ଗେସଙ୍ଗେ ଗାଁକୁ ନେଇ ଯାଇ କବର ଦେବା ନିମନ୍ତେ ବ୍ୟବସ୍ଥା କରିଥିଲେ ବଡ ଜ୍ୱାଇଁ ସ୍ମରଜିତ। ତା’ପରଦିନ ଭୋରରୁ ସ୍ଥାନୀୟ ମାଳିକାପଡି ଚର୍ଚ୍ଚ ପାର୍ଶ୍ୱ କବରଖାନାରେ ସେଲିବ୍ରେଟକୁ କବର ଦିଆଯାଇଥିଲା। ସେଲିବ୍ରେଟର ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଜାତ ହେବାରେ ଲାଗିଥିଲା।

publive-image haber.ba

ଗ୍ରାମରେ ଏହି ଘଟଣାକୁ ନେଇ ବୈଠକ ପରେ ବୈଠକ ହୋଇଥିଲା। ଏହି ବୈଠକରେ ସେଲିବ୍ରେଟକୁ ହତ୍ୟା କରାଯାଇଥିବା ସେଲିବ୍ରେଟଙ୍କ ବାପାଙ୍କୁ ଜଣାଗଲା କିନ୍ତୁ ସେ ବିଶ୍ୱାସ କରି ନଥିଲେ। କିଛିଦିନ ପରେ ଝିଅର କିଛି ସାଙ୍ଗସାଥି ଘଟଣା ପୂର୍ବରୁ କିଭଳି ତାଙ୍କ ବଡ଼ ଜ୍ୱାଇଁ ସ୍ମରଜିତ ସେଲିବ୍ରେଟ ଉପରେ ନିଜର ଲୋଲୁପ ଦୃଷ୍ଟି ପକେଇ ହଇରାଣ କରୁଥିଲା ଏବଂ ଘଟଣା ଦିନ ବଡ଼ ଜ୍ୱାଇଁର ଉପସ୍ଥିତ ପାରିପାର୍ଶ୍ଵିକ ସ୍ଥିତି ତାର ଚାଲିଚଳନ ଦେଖି ସେଲିବ୍ରେଟର ବାପା ମା’ ତାଙ୍କ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ।

କୌଣସି ଫଳ ନ ମିଳିବାରୁ ଜାତୀୟ ମାନବିକ ଅଧିକାର କମିଶନ, ରାଜ୍ୟ ମାନବିକ ଅଧିକାର କମିଶନ, ମହିଳା କମିସନ୍‌ ପ୍ରମୁଖଙ୍କୁ ଲିଖିତ ଭାବେ ଜଣେଇବା ପରେ ମଧ୍ୟ କୌଣସି ସୁଫଳ ପାଇଲେନି। ଶେଷରେ ଜିଲ୍ଲାପାଳ କନ୍ଧମାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣେଇବା ପରେ ଦୀର୍ଘ ଦିନ ଧରି ତଦନ୍ତ ଚାଲିଲା । ଶେଷରେ ଦୀର୍ଘ ୨୨ମାସ ପରେ ସ୍ଥାନୀୟ ଥାନାରେ ମୃତ ସେଲିବ୍ରେଟଙ୍କ ବାପା ଯିହୋଶୂୟ ନାୟଙ୍କ ଏତଲା କ୍ରମେ ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଥାନା କେଶନଂ ୧୩୧/୧୯,ଧାରା ୩୦୨,୨୦୧ରେଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ।

publive-image

ଆଜି ମାଳିକାପଡି ଚର୍ଚ୍ଚ ପାର୍ଶ୍ୱ କବରସ୍ଥାନରେ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଏସ ରାଜେଶ ପାତ୍ରଙ୍କ ଉପସ୍ଥିତିରେ କବର ଖୋଳି ଜେଆର ସେଲିବ୍ରେଟଙ୍କ ଶବ ବାହାର କରାଯାଇ ତାକୁ ବ୍ରହ୍ମପୁର ମେଡିକାଲକୁ ପଠେଇ ଦିଆଯାଇଛି। ବ୍ୟବ‌ଚ୍ଛେଦ ରିପୋର୍ଟ ଆସିବା ପରେ ସେଲିବ୍ରେଟର ମୃତ୍ୟୁର ରହସ୍ୟ ପଦାକୁ ଆସିବ।