ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା: କାର୍ଯ୍ୟରେ ଅବହେଳା ଯୋଗୁଁ ୪ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ (ଏଲ୍‌ଟିଟି) ଦୁର୍ଘଟଣା ପ୍ରସଙ୍ଗରେ ୪ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଲ୍‌ଟିଟି ଏକ୍ସପ୍ରେସ୍‌ ଦୁର୍ଘଟଣା ପ୍ରସଙ୍ଗରେ ରେଳବାଇ କାର୍ଯ୍ୟରେ ଅବହେଳା ଯୋଗୁଁ ନିର୍ଗୁଣ୍ଡି ଷ୍ଟେସନ ଡେପୁଟି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନ୍‌ର ଗାର୍ଡ ଓ ଏଲ୍‌ଟିଟି ଟ୍ରେନର ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରିଛି।

ସୂଚନାଯୋଗ୍ୟ,  ଆଜି ସକାଳ ପ୍ରାୟ ୬: ୩୦ ସମୟରେ କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ର୍ନିଗୁଣ୍ଡି ଷ୍ଟେସନ୍‌ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ (ଟ୍ରେନ୍‌ ନମ୍ବର ୧୨୮୭୯) ଲାଇନ୍‌ଚ୍ୟୁତ ହୋଇଥିଲା। ଦୁର୍ଘଟଣାରେ ଟ୍ରେନ୍‌ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ସେଥିରୁ ୫ଟି ବଗି ଧାରଣାରୁ ବାହାରି ଯାଇଥିଲା ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟିଥିଲା। ଅନ୍ୟନ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଅଧିକ ଆହତ ୫ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟି ନ ଥିବା କଥା ବରିଷ୍ଠ ରେଳ ଅଧିକାରୀ, ଟ୍ରେନ୍‌ ଚାଳକ ଏବଂ ଟିଟିଇ କହିଥିଲେ।

କପିଳାସ ରୋଡ୍‌ ପାରି ହେବା ପରେ ଏବଂ ନିର୍ଗୁଣ୍ଡି ଷ୍ଟେସନର ପ୍ରାୟ ୧ କିଲୋମିଟର ପୂର୍ବରୁ ଦୁର୍ଘଟଣା ଘଟିଥିଲା। ସେହି ଲାଇନ୍‌ରେ ଠିଆ ହୋଇଥିବା ଗୋଟାଏ ମାଲ୍‌ଗାଡ଼ିକୁ ଧକ୍କା ଦେବାରୁ ଯାତ୍ରୀବାହୀ ଟ୍ରେନ୍‌ଟି ଧାରଣାଚ୍ୟୁତ ହୋଇଥିଲା। ଆଜି ସକାଳୁ ସମ୍ପୃକ୍ତ ଅଞ୍ଚଳରେ ଘନ କୁହୁଡ଼ି ଘୋଟିଥିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର