ଭୁବନେଶ୍ବର: ସିକ୍କିମ୍ ବନ୍ୟାରେ ସହିଦ ଓଡ଼ିଆ ଯବାନ ଢେଙ୍କାନାଳ ଜିଲ୍ଲା କେନ୍ଦୁଢ଼ିପ ଅଞ୍ଚଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେନାର ବରିଷ୍ଠ ଅଧିକାରୀ ଓ ପୂର୍ବତନ ଅଧିକାରୀ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସହିଦ ସରୋଜଙ୍କ ଭାଇ ମନୋଜଙ୍କୁ ସମବେଦନା ଜଣାଇଥିଲେ। ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଦିଲୀପ ମଲ୍ଲିକ, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Advertisment

ସରୋଜଙ୍କ ବାପା ଓ ଭାଇ ମୃତଦେହ ଗ୍ରହଣ କରିଥିଲେ। ସେନାର ଏକ ସ୍ବତନ୍ତ୍ର ଗାଡ଼ିରେ ସହିଦଙ୍କ ମରଶରୀରକୁ ନିଜ ଗାଁ କେନ୍ଦୁଢ଼ିପକୁ ନିଆ ଯାଇଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସହିଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ମରଶରୀର କେନ୍ଦୁଢିପ ଗାଁରେ ପହଞ୍ଚିବା ପରେ ସେଠାରୁ ସଂକୀର୍ତ୍ତନ ସହ କୋକେଇରେ ସରୋଜଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।