ବାଲେଶ୍ୱରରେ କରୋନା ଯୋଦ୍ଧା ଡାକ୍ତରଙ୍କୁ ଗାର୍ଡ ଅଫ୍‌ ଅନର

ବାଲେଶ୍ୱର: ଜିଲ୍ଲାରେ କରୋନା ଆକ୍ରାନ୍ତ ଜଣେ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲା ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମୃତକ ଡାକ୍ତରଜଣକ ହେଲେ ନିହାର ରଂଜନ ପରିଡ଼ା। ତାଙ୍କ ଘର ବସ୍ତା ଅଞ୍ଚଳରେ।

ସୂଚନା ଅନୁସାରେ ଡାକ୍ତର ନିହାର ରଂଜନ ପରିଡ଼ା କଳାହାଣ୍ଡି ଜିଲ୍ଲା ଜୟପାଟଣା ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ଗତ ୧୦ ଦିନ ପୂର୍ବରୁ ସେଠାରେ ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍‌ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସୁସ୍ଥ ହୋଇ ଦୁଇଦିନ ତଳେ ବାଲେଶ୍ବର ସ୍ଥିତ ନିଜ ଘରକୁ ଫେରିଥିଲେ। ଗତକାଲି ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏଫ୍‌ଏମ୍‌ କଲେଜ ପରିସରରେ ହୋଇଥିବା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଶାସନ ପକ୍ଷରୁ ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ଆଜି ସକାଳେ ତାଙ୍କ ମରଶରୀରକୁ ବଡ଼ ଡାକ୍ତରଖାନା ପରିସରକୁ ଅଣାଯାଇଥିଲା। ଡିପିଏଚ୍‌ଓ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଡିଏସ୍‌ଓ ଡାକ୍ତର ଅରୁପ ଦାସ, ଓମ୍‌ସାର ରାଜ୍ୟ କୋଷାଧ୍ୟକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଜିଲ୍ଲା ସମ୍ପା‌ଦକ ମାଣିକରତନ ଓ ଡାକ୍ତର କମଳାକାନ୍ତ ନାୟକ ପ୍ରଧାନ ପ୍ରମୁଖ କରୋନା ଯୋଦ୍ଧା ଡାକ୍ତର ସ୍ବର୍ଗତ ନିହାରରଂଜନ ପରିଡ଼ାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣା‌ଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏହାପରେ ଜିଲ୍ଲା ପୁଲିସ ପକ୍ଷରୁ ସେଠାରେ ତାଙ୍କୁ ମରଶରୀରକୁ ଗାର୍ଡ ଅଫ୍‌ ଅନର ଦିଆଯାଇ ଶେଷକୃତ୍ୟ ପାଇଁ ନିଆଯାଇଥିଲା।

ସମ୍ବନ୍ଧିତ ଖବର