ସହିଦ ଦେବାଶିଷ ବିଶ୍ବାଳଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ

ରାଜ୍ୟପାଳ ଓ ବହୁ ରାଜନେତା ଅର୍ପଣ କଲେ ଶ୍ରଦ୍ଧା ସୁମନ

ସହିଦ ଦେବାଶିଷ ବିଶ୍ବାଳଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ

ଭୁବନେଶ୍ବର/ପୁରୀ/ସାକ୍ଷୀଗୋପାଳ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି। ଏହାପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସହିଦ ଦେବାଶି‌ଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ। ଏବେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଉଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ବିମାନ ଯୋଗେ ଦେବାଶିଷଙ୍କ ପାର୍ଥିବ ଶରୀର ନିଜ ଗାଁରେ ପହଞ୍ଚିବାର ଥିଲା। କିନ୍ତୁ, ବିମାନ ଚଳାଚଳରେ ତ୍ରୁଟି କାରଣରୁ ଶନିବାର ଦିନ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିଛି। ଗାଁ’ ଶ୍ମଶାନରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ। ଏଥିପାଇଁ ଗତକାଲି ଗାଁ ଶ୍ମଶାନକୁ ସଫା କରାଯାଇଛି। ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ୍ ଅନର୍’ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ। ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe