ଯାଜପୁର/ କୁହିକା : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ରେ ଉଦ୍ୟାନ ବିଭାଗ ପକ୍ଷରୁ ବିନା ଅନୁମତିରେ ଜଙ୍ଗଲ ଜମିରେ ୧୫କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ପିଜୁଳି ବଗିଚା ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ରୋକ୍ ଲଗାଇଥିଲେ। ୧ କୋଟି ଟଙ୍କା ଜରିମାନା ସହିତ ଲଗାଯାଇଥିବା ୮୦ହଜାର ପିଜୁଳି ଗଛ ଉପାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆଇନ ବିଭାଗ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମର୍ମରେ ରାଜ୍ୟ ସରକାରଙ୍କ ଆଇନ ବିଭାଗର ଡେପୁଟି ସେକ୍ରେଟାରି ଭଗବାନ ନାୟକ ସୁପ୍ରିମକୋର୍ଟ ଓକିଲ ଗୌରବ ଖାନ୍ନାଙ୍କୁ ଏହି ମାମଲା ପରିଚାଳନା ପାଇଁ ଅବଗତ କରାଇଛନ୍ତି। ଓକିଲାତିନାମାରେ ଆଇନ ବିଭାଗର ଏଲ୍ଆର ତଥା ସ୍ବତନ୍ତ୍ର ସଚିବ ପ୍ରତାପ କୁମାର ପାତ୍ର ଓକିଲ ଶ୍ରୀ ଖାନ୍ନା ମାମଲା ପରିଚାଳନା କରିବେ ବୋଲି ସୁପ୍ରିମକୋର୍ଟର ରେଜିଷ୍ଟରଙ୍କୁ ଅବଗତ କରିଛନ୍ତି।
ଜଙ୍ଗଲ ବିଭାଗର ଅନୁମତି ବିନା ସୁକିନ୍ଦା ତହସିଲର ଦାମୋଦରପୁର, ବଡ଼ଲଣ୍ଡା ଓ କରଗୋଳା ମୌଜାର ଜଙ୍ଗଲ ଜମିରେ ଡିଏମ୍ଏଫ ଅନୁଦାନରୁ ୧୫କୋଟି ୯୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ସର୍ବବୃହତ ପିଜୁଳି ପ୍ରକଳ୍ପ ଚାଲିଛି। ସୁକିନ୍ଦା ବିହନ ଫାର୍ମ କୃଷି ବିଭାଗ ଅଧୀନରେ ଥିଲା। ପରେ ଏହି ଜମି ଉଦ୍ୟାନ ବିଭାଗକୁ ହସ୍ତାନ୍ତର ପରେ ସମ୍ପୃକ୍ତ ବିଭାଗ ୧୦୧ହେକ୍ଟର ଜମିରେ ଆମ୍ବ ଓ କାଜୁଚାରା ଲଗାଇଥିଲା। ଏବେ ଦାମୋଦରପୁର ଓ ବୋତଲଣ୍ଡା ମୌଜାର ୨୪୦ ହେକ୍ଟର ଜମିରେ ରାଜ୍ୟର ସର୍ବବୃହତ ପିଜୁଳି ବଗିଚାର ପରିକଳ୍ପନା କରାଯାଇଥିଲା l ଏହି ଜଙ୍ଗଲ କିସମ ଜମିରୁ ଗଛ କଟାଯାଇ ପିଜୁଳି ବଗିଚା କରାଯାଇଥିବା ଅଭିଯୋଗ କରି ସୁକିନ୍ଦା ବ୍ଲକ ଦାମୋଦରପୁର ଗ୍ରାମର ତପନ ବରାଳ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା କରିଥିଲେ। ତଦନ୍ତ ରିପୋର୍ଟ ଓ ଅଭିଯୋଗକୁ ଭିତ୍ତିକରି ଟ୍ରିବ୍ୟୁନାଲର ୨ଜଣିଆ ଖଣ୍ଡପୀଠ ଜଙ୍ଗଲ କିସମ ଜମିରେ ଲଗାଯାଇଥିବା ୮୦ହଜାର ପିଜୁଳି ଗଛ ଉପାଡିବା ସହିତ କ୍ଷତିପୂରଣ ବାବଦକୁ ୧ କୋଟି ଟଙ୍କା ଜରିମାନା ଜଙ୍ଗଲ ବିଭାଗ ନିକଟରେ ପୈଠ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଯାହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/pijuli.jpg)