ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଗୁଡ଼ାରି ବିଡିଓଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବ୍ଲକର ସମସ୍ତ ଲୋକ ପ୍ରତିନିଧି। ବିଡିଓ ଲୋକପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଗତ ଜାନୁଆରି ୧୧ ତାରିଖରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ସିଡିଓଙ୍କୁ ଲିଖିତ ଭାବେ ବିଡିଓଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବାରମ୍ବାର ବିଡିଓ ମହାଶୟା କୌଣସି ସରକାରୀ କାର୍ଯ୍ୟରେ କିମ୍ବା କାମଗୁଡିକରେ ଲୋକ ପ୍ରତିନିଧିମାନଙ୍କୁ ନପଚାରି ନିଜେ ନିଜେ ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷା।
ତେବେ ଏନେଇ ଜିଲ୍ଲା ପରିଷଦ ସିଡିଓ ୧୬ ତାରିଖରେ ତଦନ୍ତ କରିବେ ବୋଲି ଚିଠି ମାଧ୍ୟମରେ ଅବଗତ କରାଇଲେ। ତଦନ୍ତ ଦିନ ନିଜେ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷା ସମେତ ଅନ୍ୟ ଲୋକ ପ୍ରତିନିଧି ଉପସ୍ଥିତ ରହିବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ସମସ୍ତ ଲୋକ ପ୍ରତିନିଧି, ଜନସାଧାରଣ ଏବଂ ସମାଜସେବୀମାନେ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। କିନ୍ତୁ ଦିନ ତମାମ ବ୍ଲକ ଅଧ୍ୟକ୍ଷା ସମେତ ସମସ୍ତ ଲୋକ ପ୍ରତିନିଧି ଅପେକ୍ଷା କରିବା ପରେ ମଧ୍ୟ ସିଡିଓ ଗୁଡାରି ଆସିଲେ ନାହିଁ।
ଏନେଇ ସମସ୍ତ ଲୋକ ପ୍ରତିନିଧି ଅସଂତୋଷ ଜାହିର କରିଥିଲେ। ନଖାଇ ନପିଇ ଅପେକ୍ଷା କରିଥିବା ବେଳେ ରାଜନୈତିକ ଚାପରେ ସିଡିଓ ତଦନ୍ତରୁ ଓହିରଗଲେ ବୋଲି ଅଭିଯୋଗ କଲେ। ସିଡିଓ ଉପରେ ଶାସକ ଦଳର ନେତାଙ୍କ ଚାପ ପଡିବାରୁ ସେ ଗୁଡାରିକୁ ତଦନ୍ତ ପଇଁ ଆସିଲେ ନାହିଁ ବୋଲି ଲୋକ ପ୍ରତିନିଧିମାନେ ଅଭିଯୋଗ କଲେ। ବ୍ଲକ ଅଧ୍ୟକ୍ଷାଙ୍କ ଅଗୋଚରରେ ସମସ୍ତ କାମ ବିଡିଓ ନିଜେ କରୁଛନ୍ତି। ତାଂକୁ କୌଣସି ବିଷୟରେ ଆବଗତ କରାଯାଉନଥିବା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଅଭିଯୋଗ କରିଥିଲେ।ତେବେ ଯଦି ଆଗାମୀ ଦିନରେ ଏହାର ସମାଧାନ କରାନଯାଏ ତେବେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସମସ୍ତ ଲୋକ ପ୍ରତିନିଧି ଚେତାବନୀ ଦେଇଥିଲେ।