ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ

ପାଣି ପାଇଁ ଡହଳବିକଳ ପର୍ଯ୍ୟଟକ, ଟ୍ରାଫିକ୍‌ ସମସ୍ୟା ଯୋଗୁଁ ନାକେଦମ୍

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ ଦିନ ଧରି ଚାଲିଥିବା ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ ହୋଇଛି। ଏହି ଅବସରରେ ରାମଚରିତ ମାନସ ପାଠ ସହ ପୂଣ୍ୟକୁଣ୍ଡ ସ୍ନାନ, ଡୋକରୀଦର, ଭୈରବଧାର, ଗୁଡ଼ହାଣ୍ଡି, ଶ୍ରୀରାମ ମନ୍ଦିର, ଶିବ ମନ୍ଦିର, କଳ୍ପବଟ, ଡୋକରୀ ଦେବୀ ଆଦି ପୀଠରେ ପୂଜାର୍ଚ୍ଚନା ସହ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଅତିଥି ଭାବେ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଦିବସରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ଦଳ ଆସି ନୃତ୍ୟ ପରିବେଷଣ କରିଥିଲେ।

ଚଳିତ ବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଏଥର ବ୍ୟବସ୍ଥା ‌ଠିକ୍ ହୋଇ ନଥିବାରୁ ପର୍ଯ୍ୟଟକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ିଥିଲା। ଯଦ୍ବାରା ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପର୍ଯ୍ୟଟନସ୍ଥଳୀରେ ଦୁଇଟି ନଳକୂପ ଥିଲେ ହେଁ କମ୍ ପାଣି ବାହାରୁଛି। ଯଦ୍ବାରା ପାନୀୟ ଜଳ ସମସ୍ୟା ଦେଖାଦେଉଛି। ଲୋକେ ପାଣି ପାଇଁ ବହୁ ଅସୁବିଧା ଭୋଗିଥିବା ଅଭିଯୋଗ କରିଛନ୍ତି। ପୁଣି ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଟ୍ରାଫିକ‌୍ ସମସ୍ୟା ଦେଖାଦେଇଥିଲା। ପାର୍କିଂ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପୁଣି ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇ ନଥିବାରୁ ଗ୍ରୀଷ୍ମ ତାତିରୁ ମୁକ୍ତି ପାଇବା ପାଇଁ ପର୍ଯ୍ୟଟକମାନେ ଗଛ ତଳେ ଆଶ୍ରୟ ନେଇଥିବା ଦେଖାଯାଇଥିଲା। ସରକାର ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ପ୍ରାୟ କୋଟିଏ ଟଙ୍କା ଅନୁଦାନ ଦେଇଛନ୍ତି। ହେଲେ ତାହା ଠିକ୍ ଭାବେ ବିନିଯୋଗ କରାଯାଉ ନଥିବାରୁ ଏଭଳି ଅବସ୍ଥା ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ପ୍ରଶାସନ ତଥା କମିଟି ସଦସ୍ୟ ଆଗାମୀ ବର୍ଷରେ ଏଥିପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର