ଓଡ଼ିଶାର ଖାଦ୍ୟ, ଅଣ୍ଡା ଫେରାଇ ଦେଲେ ଅଭିଭାବକ
ଅଙ୍ଗନବାଡ଼ି ଦିଦି ନଆସିବାକୁ ଆନ୍ଧ୍ର ପୁଲିସ ଚିଠିରେ ଚେତାବନୀ
ଖସି ଆସିନଥିଲେ ଆନ୍ଧ୍ର ପୁଲିସ ଗିରଫ କରିଥାନ୍ତା: ଦିଦି
କୁମ୍ଭୀର କଲାଣି ଅଧା ନଈରେ, ନିଦ୍ରାରେ ଗଜପତି ପ୍ରଶାସନ
ପାରଳାଖେମୁଣ୍ଡି : ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଓଡ଼ିଶା ପ୍ରଶାସନ ଓ ଆନ୍ଧ୍ର ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ ଭିନ୍ନ ମୋଡ଼ ନେଇଛି। ମାଣିକପାଟଣା ପରେ ଏବେ ଗଙ୍ଗାବାଡ଼ ପଞ୍ଚାୟତର ଗୁଦୁଖୁଡ଼ି ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ଶିଶୁଙ୍କ ଅଭିଭାବକ ଆନ୍ଧ୍ର ପ୍ରଶାସନକୁ ସମର୍ଥନ କରି ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଓ ଅଣ୍ଡା ଗ୍ରହଣ କରିବାକୁ ମନା କରିବା ପରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି।
ଗୁଦୁଖୁଡ଼ି ଗ୍ରାମର ଅଙ୍ଗନବାଡ଼ି କର୍ମୀ କସ୍ତୁରୀ ରଇତ ଅଙ୍ଗନବାଡ଼ି କେନ୍ଦ୍ରକୁ ସବୁଦିନ ପରି ଖାଦ୍ୟ ଓ ଅଣ୍ଡା ବାଣ୍ଟିବା ପାଇଁ ଯାଇଥିଲେ। ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗଜପତି ଜିଲ୍ଲାର ୧୨ ଜଣ ପିଲା ପଞ୍ଜୀକୃତ ଥିବା ବେଳେ ସେମାନଙ୍କ ଅଭିଭାବକମାନେ ହଠାତ୍ ଆସି ଓଡ଼ିଶା ସରକାରଙ୍କ ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ। ସେମାନେ ଆନ୍ଧ୍ର ସରକାରଙ୍କ ରାସନ ଗ୍ରହଣ କରିବୁ ବୋଲି ସିଧାସଳଖ ଶୁଣାଇ ଦେଇଥିଲେ।
ଅଙ୍ଗନବାଡ଼ି କର୍ମୀ କସ୍ତୁରୀ ଏଥିରେ ବିସ୍ମିତ ହେବା ସହ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ପରେ ୫ ପରିବାର ଓଡ଼ିଶା ସରକାରଙ୍କ ଖାଦ୍ୟ ଓ ଅଣ୍ଡା ଗ୍ରହଣ କରିବା ପାଇଁ ରାଜି ହୋଇଥିଲେ ହେଁ ଅନ୍ୟ ପରିବାର ମନା କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଗଙ୍ଗାବାଡ଼ ପଞ୍ଚାୟତ ସଂଲଗ୍ନ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ଚିପି ପଞ୍ଚାୟତର ସରପଞ୍ଚ ଶବର ଚିରଞ୍ଜିବୀ ମଞ୍ଜୁଷା ପୁଲିସକୁ ଖବର ଦେଇଥିଲେ। ମଞ୍ଜୁଷା ପୁଲିସର ଏକ ଟିମ୍ ଗୁଦିଖୁଡ଼ି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଅଙ୍ଗନବାଡ଼ି କର୍ମୀ କସ୍ତୁରୀ ସେଠାରୁ ଚାଲି ଆସିଥିଲେ।
ପରେ ପୁଲିସ ଅଧିକାରୀମାନେ କସ୍ତୁରୀଙ୍କ ଉଦ୍ଦେଶ୍ୟରେ ତେଲୁଗୁରେ ଏକ ଚିଠି ଗ୍ରାମବାସୀଙ୍କ ଜରିଆରେ ଦେଇଥିଲେ। ଏହି ଚିଠିରେ ଆନ୍ଧ୍ର ପୁଲିସ ଧମକ ଦେଇ ଲେଖିଛି, ଗୁଦୁଖୁଡ଼ି ଗ୍ରାମବାସୀଙ୍କୁ ଓଡ଼ିଶା ରାସନ ଆବଶ୍ୟକ ନାହିଁ। ଏଣୁ ଅଙ୍ଗନବାଡ଼ି ଦିଦି ଗୁଦୁଖୁଡ଼ିକୁ ନଆସିବା ପାଇଁ ଏଥିରେ ଲେଖାଯାଇଛି। ଅନ୍ୟପକ୍ଷରେ ପ୍ରାକ୍ତନ ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜୀ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଆନ୍ଧ୍ର ସରକାର ପୁନର୍ବାର ନିଜର ବଡ଼ଭାଇ ପଣିଆ ଏହି ଅଞ୍ଚଳରେ ଜାରି ରଖିଛି। ଅନ୍ୟପଟେ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ପାଲଟିଛି ବୋଲି ସେ କ୍ଷୋଭର ସହ କହିଛନ୍ତି। କସ୍ତୁରୀ କହିଛନ୍ତି, ସେ ଖସି ଆସିନଥିଲେ ଆନ୍ଧ୍ର ପୁଲିସ ତାଙ୍କୁ ଗିରଫ କରିଥାନ୍ତା। ସବୁଠାରୁ ବଡ଼କଥା ହେଲା, ଏହି ଘଟଣା ଉପରେ କୌଣସି ଉଚ୍ଚ ଅଧିକାରୀଙ୍କ ମତ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/gajapati-1.jpg)