ପ୍ରଶାସନକୁ ଦିଆଯିବ ବାହାଘରରେ ଆସିବାକୁ ଥିବା ଅତିଥିଙ୍କ ତାଲିକା, ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବାକୁ ବାଧ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ କରିବାକୁ ଘୋଷଣା କରିଛନ୍ତି | ତେବେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି | ନୂଆ ନିୟମ ମୁତାବକ ବାହାଘରରେ ସର୍ଵମୋଟ ୫୦ ଜଣ ହିଁ ରହିପାରିବେ | ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ | ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ପ୍ରଶାସନକୁ ପୂର୍ବରୁ ଦିଆଯିବ।

ନିର୍ଦ୍ଧାରିତ ଦିନର ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ସମସ୍ତ ଅତିଥିଙ୍କ ତାଲିକା ଦିଆଯିବ | ଯେଉଁମାନେ ବାହାଘରକୁ ଆସିବେ ସେମାନଙ୍କ ନାମ ବାହାଘର ହେଉଥିବା ସ୍ଥାନରେ ମାରିବାକୁ ନିୟମ କରାଯାଇଛି | ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେସନ କଲେ ବ୍ୟବହୃତ ଗାଡି, ଡିଜେ,ସାଉଣ୍ଡ ଇତ୍ୟାଦି ଜିନିଷ ଜବତ ହେବ।

ନିୟମ ଭାଙ୍ଗିଲେ ଉଭୟ ଆୟୋଜକ ଓ ଭେନ୍ୟୁ ମାଲିକ ଉପରେ କୋଭିଡ ନିୟମ ଉଲଙ୍ଘନ ମାମଲା ରୁଜୁ ହେବ ଓ ଭେନ୍ୟୁ ସିଲ କରାଯିବ | ସେହିପରି ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ହିଁ ରହିପାରିବେ | ଏମାନଙ୍କ ମଧ୍ୟରେ ପରିବାର ସଦ୍ୟ ଓ ବ୍ରାହ୍ମଣ ରହିବେ | ସେହିପରି ବାହାଘର ମଣ୍ଡପରେ ଯେଭଳି ସାମାଜିକ ଦୂରତା ବଜାୟ ରହିବ, ସେ ବାବଦରେ ଆୟୋଜନକାରୀ ନଜର ରଖିବେ।

ଅନ୍ୟପକ୍ଷରେ ଜନ୍ମବାର୍ଷିକୀ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧବାର୍ଷିକୀ ଭଳି ସାମାଜିକ ଉତ୍ସବଗୁଡ଼ିକ ଘର ଭିତରେ ହିଁ ଅନୁଷ୍ଠିତ ହେବ। ପରିବାରର ସଦସ୍ୟ ଏକାଠି ହୋଇ ଏହା ପାଳନ କରିପାରିବେ। ଏହି ଉତ୍ସବକୁ ବାହାରର ଅତିଥି ଯୋଗ ଦେଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର