ଅତିଥି ଶିକ୍ଷକ ନିଯୁକ୍ତି ଯୋଜନା ଭେଳିକି; ନିୟମିତ ମିଳୁନି ଦରମା, କେବେ ୪ ମାସ ତ, କେବେ ୨ ବର୍ଷ

ଅବ୍ୟବସ୍ଥା ପାଇଁ ଘରେ ବସିବାକୁ ପସନ୍ଦ କରୁଛନ୍ତି ଶିକ୍ଷକ

ବାଲେଶ୍ବର: ଅବସର ପରେ ପାଞ୍ଚ ବର୍ଷ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତି। ସରକାରଙ୍କ ଏହି ଘୋଷଣା ପରେ ଶିକ୍ଷକ ମହଲରେ ଖୁସି ପ୍ରକାଶ ପାଇଥିଲା। ଗାଇଡ୍‌ଲାଇନ୍‌ ଅନୁସାରେ ଶିକ୍ଷକମାନଙ୍କୁ ବିଭିନ୍ନ ସ୍କୁଲରେ ନିଯୁକ୍ତି ବି ଦିଆଗଲା। ରାଜ୍ୟରେ ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାରେ ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଯୋଜନା ଆରମ୍ଭ ହେବାର କିଛି ବର୍ଷ ହେବ ଶିକ୍ଷକମାନେ ଆଗ୍ରହର ସହିତ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ହେଲେ ଯାହା ଜଣାଯାଇଛି, ବିଭିନ୍ନ ଅବ୍ୟବସ୍ଥା ପାଇଁ ଏବେ ଶିକ୍ଷକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି।

୨୦୧୮-୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଲା। ବର୍ଷର ୧୦ ମାସ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ ମାସକୁ ‌୨୦ ଟି କ୍ଲାସ୍‌ ନେବାର ନିୟମ ରହିଛି। ଏଥିପାଇଁ ପ୍ରତି ମାସରେ ଶିକ୍ଷକମାନେ ୧୨ ହଜାର ଟଙ୍କା ଦରମା ପାଉଛନ୍ତି। କାମ ନାହିଁ ତ ଦରମା ନାହିଁ ନୀତିରେ ଶିକ୍ଷକମାନେ ଯେତିକି କ୍ଲାସ୍‌ କରିବେ ସେହି ଅନୁସାରେ ଦରମା ପାଇବେ। ତେବେ ‌ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଲାସ୍‌ ନେବାର ରିପୋର୍ଟ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବେ। ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଅନୁଦାନ ଆସିବା ପରେ ଯାଇ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଛି। ‌ତେବେ ଏହି ଟଙ୍କା ଶିକ୍ଷକଙ୍କୁ ପ୍ରତି ମାସ ମିଳୁନାହିଁ। କେବେ ୪ ମାସକୁ ଥରେ ତ ଆଉ କେବେ ୨ ବର୍ଷ ପରେ ଟଙ୍କା ମିଳୁଛି। ଦରମା ପାଇବା ପାଇଁ ଏବେ ବି ୩ଟି ଆବେଦନ ପତ୍ର ପଡ଼ିରହିଛି। ବହୁ ଶିକ୍ଷକ ଟଙ୍କା ନ ପାଇ ପ୍ରଶାସନକୁ ଅଭିଯୋଗ ବି କରୁଛନ୍ତି। ସେପଟେ ହାତଗୁଞ୍ଜା ନ ଦେଲେ ବି ଏହି ଦରମା ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି।

ଯାହା ଜଣାପଡ଼ିଛି, ବାଲେଶ୍ବର ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବାର କିଛି ବର୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଆଗ୍ରହର ସହିତ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ପ୍ରଥମ ବର୍ଷ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ବର୍ଷେ କି ଦୁଇ ବର୍ଷ ପରେ ଏହି ସଂଖ୍ୟା କମିଗଲା। ଏହାର କାରଣ ହେଲା, ଠିକ୍‌ ସମୟରେ ଦରମା ନ ମିଳିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ଅବ୍ୟବସ୍ଥା। ଯେପରି ଚଳିତ ଶିକ୍ଷା ବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ଚିଠି ବିଳମ୍ବରେ ଆସିବା ଯୋଗୁଁ ଅକ୍ଟୋବର ମାସରେ ଜିଲ୍ଲାର ୨୦୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷା ବର୍ଷ ଅଧା ହେବାକୁ ବସିଥିବା ବେଳେ ଏହି ଶିକ୍ଷକମାନେ ଚଳିତ ବର୍ଷ ୧୦ ମାସ ବଦଳରେ ମାତ୍ର ୬ ମାସ ପାଠ ପଢ଼ାଇପାରିବେ। ଜଣେ ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି, ଏହି ଯୋଜନାରେ ବହୁତ ଅବ୍ୟବସ୍ଥା ରହିଛି। ଇଛା ଥିଲେ ବି ବ୍ୟବସ୍ଥା ଦେଖି ଆବେଦନ କରିବାକୁ ଆଗ୍ରହ ନାହିଁ। ଦରମା ସମୟରେ ମିଳୁନାହିଁ। ସେମିତି ନିଯୁକ୍ତି ପାଇବା ପରେ ଯଦି ୧୦ ମାସ ଭିତରେ ଉକ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି, ତେବେ ଅତିଥି ଶିକ୍ଷକଙ୍କର ଆଉ ସ୍ଥାନ ନାହିଁ। ପୁଣି ଗୋଟିଏ ଶିକ୍ଷା ବର୍ଷକୁ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏହି ଏଭଳି ବ୍ୟବସ୍ଥା ପାଇଁ ଘରେ ବସିବାକୁ ପସନ୍ଦ କରୁଛି।

ସମ୍ବନ୍ଧିତ ଖବର