ଆର୍‌ଟିଇ ନାମଲେଖା: ଯୋଗ୍ୟ ପିଲାଙ୍କୁ ମନା କରିପାରିବେନି

ଘରୋଇ ସ୍କୁଲ୍‌ ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ(ଆରଟିଇ)-୨୦୦୯ ଅନୁଯାୟୀ ୨୦୨୩-୨୪ ଶିକ୍ଷାବର୍ଷରେ ଘ‌ରୋଇ ବିଦ୍ୟାଳୟରେ ନାମଲେଖା ଲାଗି ଯୋଗ୍ୟ ‌ବିବେଚିତ ହୋଇଥିବା ୨୫% ଗରିବ ତଥା‌ ଦୁର୍ବଳ ବର୍ଗ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ହଇରାଣ କରିପାରିବେ ନାହିଁ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କଠାରୁ ଅତିରିକ୍ତ ଡକ୍ୟୁମେଣ୍ଟ ମାଗିପାରିବେନି। କୌଣସି ବି ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ବାରଣ କରିପାରିବେ ନାହିଁ। ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ମନା କରୁଥିବାର ଅଭିଯୋଗ ଆସିବ, ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଲିଖିତ କାରଣଦର୍ଶାଅ ନୋଟିସ୍‌ ଜାରି କରିବେ। ସ୍କୁଲ କର୍ତ୍ତୃପକ୍ଷ ନାମଲେଖା ବାବଦରେ କୌଣସି ଫି’ ଆଦାୟ କରିବେନି। ସ୍କୁଲରେ ଛାତ୍ରଛାତ୍ରୀଙ୍କର ଆଉ କୌଣସି ପ୍ରକାର ସ୍କ୍ରିନିଂ ଟେଷ୍ଟ ହେବନି। ଏପ୍ରିଲ ୧୦ ସୁଦ୍ଧା କେତେ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇଲେ, ସ୍କୁଲ କର୍ତ୍ତୃପକ୍ଷ ସେନେଇ ଆରଟିଇ ପାରଦର୍ଶୀ ପୋର୍ଟାଲରେ ଅପ୍‌ଡେଟ୍‌ କରିବେ। ଏଥିସହ ୨୦୧୫-୧୬ରୁ ୨୦୨୩-୨୪ ଶିକ୍ଷାବର୍ଷ ମଧ୍ୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଆରଟିଇ ଆଇନ ଅନୁଯାୟୀ ନାମ ଲେଖାଇଛନ୍ତି, ତାହାର ତାଲିକା ସ୍କୁଲ କର୍ତ୍ତୃପକ୍ଷ ଅଫ୍‌ଲାଇନ୍‌ରେ ଦାଖଲ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର