ପିଏଚ୍‌ଡି ଗାଇଡ୍‌ ହୋଇପାରିବେ କଲେଜ ଅଧ୍ୟାପକ : ଯୋଗ୍ୟ ଅଧ୍ୟାପକଙ୍କୁ ଅନୁମତି ଦେବାକୁ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଗାଇଡ୍‌ ଅଭାବ

ଭୁବନେଶ୍ବର: ପିଏଚ୍‌ଡି କରିବାକୁ ଆଶାୟୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ମହାବିଦ୍ୟାଳୟର ଯୋଗ୍ୟ ଅଧ୍ୟାପକମାନେ ମଧ୍ୟ ପିଏଚ୍‌ଡି ପିଲାଙ୍କ ଗାଇଡ୍‌ ହୋଇପାରିବେ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିୟମକୁ କୋହଳ କରାଯିବା ପରେ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେଇଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଗବେଷଣାରେ ସାମିଲ ହେବେ, ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ କୁଳପତିମାନେ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଓଡ଼ିଶାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଇଡ୍‌ ନଥିବାରୁ ବହୁ ଛାତ୍ରଛାତ୍ରୀ ପିଏଚ୍‌ଡି କରିବାରୁ ବଞ୍ଚିତ ହେଉଛନ୍ତି। ଯେଉଁମାନଙ୍କୁ କଷ୍ଟେମଷ୍ଟେ ଗାଇଡ୍‌ ମିଳି ଯାଉଛନ୍ତି, ସେମାନଙ୍କ ପିଏଚ୍‌ଡି ଶେଷ ହେବାକୁ ବର୍ଷ ପରେ ବର୍ଷ ଲାଗି ଯାଉଛି। କେତେବେଳେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଫାଇଲ୍‌ ପଡ଼ୁଛି ତ ଆଉ ‌କେତେବେଳେ ଯାଞ୍ଚ ନାଁରେ କୁଳପତି ପିଏଚ୍‌ଡି ଫାଇଲ୍‌ ଚାପି ବସି ପଡ଼ୁଛନ୍ତି। ଏଭଳି ସମସ୍ୟା ବଢ଼ୁଥିବାରୁ ଏବେ ଉଚ୍ଚଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପେପର୍‌ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କୁଳପତିମାନଙ୍କୁ କୁହାଯାଇଛି।

ବିଶେଷକରି ଉତ୍କଳ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଦେଖାଦେଇଥିବା ଅବ୍ୟବସ୍ଥା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗତ କୁଳପତି ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଥିଲେ। ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ତାଲିକା ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଛାଡ଼ିବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ କହିଥିଲେ। ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ୱେବସାଇଟ୍‌ରେ ପିଏଚ୍‌ଡି ସମ୍ପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରିବାକୁ ନିର୍ଦେଶ ଦେଇଛନ୍ତି। ବିଭାଗର ଜଣେ ଅଧିକାରୀ କହିଛନ୍ତି ‌ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗାଇଡ୍‌ ନାହାନ୍ତି। ‌ଯେଉଁ ନୂଆ ପିଲାମାନେ ନାମ ଲେଖାଉଛନ୍ତି, ସେମାନଙ୍କୁ ଗାଇଡ୍‌ ମିଳୁ ନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ଯେ ଯେଉଁମାନେ ପାର୍ଟ ଟାଇମ୍‌ ପିଏଚ୍‌ଡି ପାଇଁ ନାମ ଲେଖାଉଛନ୍ତି, ସେମାନେ ଅଧିକ ସମୟ ନେଉଛନ୍ତି। ତେଣୁ ଗାଇଡ୍‌ ପାଖରେ ରୋଟେସନ୍‌ ହୋଇପାରୁନି। କାରଣ ପୁରୁଣା ପିଲା ଗଲେ ଯାଇ ନୂଆ ପିଲା ଆସିବେ। ନିୟମ ଅନୁଯାୟୀ, ଜଣେ ପ୍ରଫେସର୍‌ ବର୍ଷକୁ ଅତି କମ୍‌ରେ ଜଣେ ପିଲା ପିଛା ଦୁଇଟି ପେପର୍‌ ବାହାର କରିବା କଥା। ଯଦି ଗୋଟିଏ ଗାଇଡ୍‌ ପାଖରେ ୮ଟି ପିଲା ରହିଛନ୍ତି, ତେବେ ସେ ବର୍ଷକୁ ଅତି କମ୍‌ରେ ୧୦ଟି ପେପର୍‌ ବାହାର କରିବା ଦରକାର। ଯେଉଁ ବିଶ୍ବବିଦ୍ୟାଳୟରେ ଶହେ ପ୍ରଫେସର୍‌ ରହିଛନ୍ତି, ସେଠାରୁ ବର୍ଷକୁ ଅତି କମ୍‌ରେ ହଜାରେ ଇଣ୍ଡେକ୍ସ ପେପର୍‌ ବାହାରିବା କଥା। ତେବେ ତାହା ହୋଇପାରୁ ନାହିଁ।

ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ କୁମାର ଦାଶଙ୍କ କହିବାନୁଯାୟୀ, ୟୁଜିସି ନିୟମ ଅନୁଯାୟୀ, ଯଦି ଜଣେ ଅଧ୍ୟାପକ ପିଏଚ୍‌ଡି ପରେ ୩ବର୍ଷ କାମ କରିଥିବେ ଏବଂ ଇଣ୍ଡେକ୍ସ ଜର୍ଣ୍ଣାଲ୍‌ରେ ତାଙ୍କର ଦୁଇଟି ପବ୍ଲିକେସନ୍‌ ଥିବ, ତେବେ ସମ୍ପୃକ୍ତ ଅଧ୍ୟାପକ ଗାଇଡ୍‌ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପରେ ତାହାକୁ ବିଶ୍ବବିଦ୍ୟାଳୟର ସବ୍‌ଜେକ୍ଟ ରିସର୍ଚ୍ଚ କମିଟିକୁ ପଠାଯିବ। କମିଟି ତାହାକୁ ବିଚାର କରିବା ପରେ ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ନିକଟକୁ ପଠାଇବେ। ତେବେ ବିଶ୍ବବିଦ୍ୟାଳୟଗୁଡ଼ିକ ଏବେ କଲେଜରେ ଗାଇଡ୍‌ ଦେଉନାହାନ୍ତି। ‌ତେଣୁ କଲେଜରେ ଯୋଗ୍ୟତା ଥିବା ଅଧ୍ୟାପକଙ୍କୁ ସୁଯୋଗ ମିଳୁନି। ବିଶ୍ବବିଦ୍ୟାଳୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ଗତ କୁଳପତି ସମ୍ମିଳନୀରେ କୁହାଯାଇଛି। ବର୍ଷ ବର୍ଷ ନ ପକାଇ ମାସକ ମଧ୍ୟରେ ସମସ୍ତ ପୁରୁଣା ପିଏଚ୍‌ଡି ଫାଇଲ୍‌କୁ ଅନୁମତି ଦିଅନ୍ତୁ।

ସମ୍ବନ୍ଧିତ ଖବର