ଚାଷ କାମ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର : ନିଜକୁ ସୁରକ୍ଷିତ ରଖ, ଚାଷ କାମ କର

ଚାଷ କାମ ତ୍ବରାନ୍ବିତ କରିବାକୁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ
ଜିଲ୍ଲା ସ୍ତରରେ ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ: ମନ୍ତ୍ରୀ

ଭୁବନେଶ୍ବର : ଦେଶବ୍ୟାପୀ ଏବେ ଲକ୍‌ ଡାଉନ୍ ଚାଲିଥିଲେ ବି କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଚାଷୀମାନେ ନିଜକୁ ସୁରକ୍ଷିତ ରଖି ଚାଷ କାମ ଜାରି ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ‌େକନ୍ଦ୍ର କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେହେତୁ ଚାଷ କାମକୁ ଲକ୍‌ ଡାଉନ୍‌ରୁ ବାଦ୍ ଦିଆଯାଇଛି, ସେଥିପାଇଁ ଆନୁଷଙ୍ଗିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଯେପରି ପ୍ରଭାବିତ ନ ହେବ, ସେହି ଦିଗରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।

ପ୍ରାଣୀ ଚିକିତ୍ସା କେନ୍ଦ୍ର, କୃଷି ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଅନୁଯାୟୀ ବିପଣନ ସହିତ ଜଡ଼ିତ ଥିବା ସଂସ୍ଥା, କୃଷିଜାତ ଦ୍ରବ୍ୟ ବିପଣନ କମିଟି କିମ୍ବା ରାଜ୍ୟ ସରକାରଙ୍କ ଦ୍ବାରା ସୂଚିତ ‘ମଣ୍ଡି’, କୃଷକ ଓ କୃଷି ଶ୍ରମିକଙ୍କ ଦ୍ବାରା କୃଷି କାର୍ଯ୍ୟ, କୃଷି ଯନ୍ତ୍ରପାତିଗୁଡ଼ିକୁ ଭଡ଼ାସୂତ୍ରରେ ଦେଉଥିବା ସଂସ୍ଥା, ରାସାୟନିକ ସାର, କୀଟନାଶକ ଓ ବିହନ ଉତ୍ପାଦନ ଏବଂ ଏହାର ପ୍ରକ୍ରିୟାକରଣ କରୁଥିବା ସଂସ୍ଥା ଯେପରି ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ କେନ୍ଦ୍ର କହିଛି। ଏହା ସହ କୃଷି ଓ ଉଦ୍ୟାନ କୃଷିରେ ବ୍ୟବହୃତ ଯନ୍ତ୍ରପାତି ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ପରିବହନ ଯେପରି ସ୍ବାଭାବିକ ହେବ, ସେଥି ପ୍ରତି ନଜର ରଖିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନି‌େର୍ଦ୍ଦଶ ଦେଇଛି।

କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶାବଳୀ ପାଇଲା ପରେ ରାଜ୍ୟ କୃଷି ବିଭାଗ ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି। କୃଷକମାନେ ନିଜକୁ ସୁରକ୍ଷିତ ରଖି ଚାଷ କାମ ଜାରି ରଖିବା ପାଇଁ କୃଷି ଅଧିକାରୀମାନେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଲକ୍‌ ଡାଉନ୍ ପାଇଁ କୃଷି କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ରୁ କୃଷି କ୍ଷେତ୍ରକୁ ବାଦ୍ ଦେଲା ପରେ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା ଚାଲିଛି। ଏବେ ଅମଳ ସମୟ। ତେଣୁ ଅମଳ ଓ ପରିବହନ କିପରି ସୁରୁଖୁରୁରେ ହେବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଚାଷୀମାନେ ନିଜକୁ ସୁରକ୍ଷିତ ରଖି କିପରି ଅମଳ କରିବେ, ସେଥି ପାଇଁ କୃଷି ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲ୍ଲା ସ୍ତରରେ କୃଷକମାନଙ୍କ ସମସ୍ୟାର ସମାଧାନ ଉପରେ ଉଦ୍ୟମ ଚାଲୁ ରହିଛି।

କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀରେ କରୋନା ସମୟରେ ଫସଲ ଅମଳ, ସଂରକ୍ଷଣ ଓ ବିପଣନ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି। କମ୍ ଦିନରେ ରବି ଫସଲର ଅମଳ ଓ ବିପଣନ ପାଇଁ ପରିବହନ ବ୍ୟବସ୍ଥା ଜରୁରି ହୋଇପଡ଼ିଛି। ଏହି ସମୟରେ ଚାଷୀମାନେ କରୋନା ଭୂତାଣୁ ଜନିତ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ସାବଧାନତା ଓ ସତର୍କତା ଅବଲମ୍ବନ କରିବେ। ସାଧାରଣ ସତର୍କତା ବ୍ୟବସ୍ଥା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ତଥା ନିଜ ଶରୀରର ପରିଚ୍ଛନ୍ନତାର ବିଭିନ୍ନ ଉପାୟ ପ୍ରତି ଗୁରୁତର ଭାବେ ଧ୍ୟାନ ଦେବାକୁ ପଡ଼ିବ। ବାରମ୍ବାର ସାବୁନ୍‌ରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସୁରକ୍ଷିତ ବସ୍ତ୍ର ପରିଧାନ କରିବା ଏବଂ ସର୍ବୋପରି ଯନ୍ତ୍ରପାତି ଓ ଉପକରଣଗୁଡ଼ିକ ବିଶୋଧନ କରି ରଖିବେ।

କୃଷି କାର୍ଯ୍ୟ ସମୟ‌ରେ ପ୍ରତ୍ୟେକ ସୋପାନରେ ସାମାଜିକ ଦୂରତ୍ବ ବଜାୟ ରଖି କାର୍ଯ୍ୟ କରିବାକୁ କୃଷିଜୀବୀ ଶ୍ରମିକମାନଙ୍କୁ ପରାମର୍ଶ ଦିଆଯାଇଛି। କୃଷି ଯନ୍ତ୍ରପାତି ମରାମତି, ରକ୍ଷଣାବେକ୍ଷଣ ଓ ଅମଳ କାର୍ଯ୍ୟରେ ନିୟୋଜିତ କୁଶଳୀ ଶ୍ରମିକ କରୋନା ରୋଗ ସଂକ୍ରମିତ ନ ହେବା ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଯେଉଁ କୃଷି ଶ୍ରମିକମାନେ ବିଭିନ୍ନ ପ୍ରକାର ଫସଲ, ମାଛ, ଅଣ୍ଡା, ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ଓ ଅମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ କାର୍ଯ୍ୟରତ ସମୟରେ ଶରୀରର ପରିଚ୍ଛନ୍ନତା ନିଶ୍ଚିତ ବଜାୟ ରଖିବେ। ଶ୍ରମିକଙ୍କ ଦ୍ବାରା ଫସଲ କାଟିବା ସମୟରେ ୪ରୁ ୫ ଫୁଟ ବ୍ୟବଧାନରେ ପଟାଳି କରି ପ୍ରତି ପଟାଳି‌େର ଜଣେ ଲେଖାଏ ଶ୍ରମିକ ରହିବେ। ଏହା ଦ୍ବାରା ସାମାଜିକ ଦୂରତ୍ବ ରହିପାରିବ। ସମସ୍ତ ନିୟୋଜିତ ଶ୍ରମିକ କାର୍ଯ୍ୟ କରିବା ସମୟରେ ମୁହଁରେ ମାସ୍କ ପିନ୍ଧିବେ। ଜଣାଶୁଣା ବ୍ୟକ୍ତିମାନଙ୍କୁ କାର୍ଯ୍ୟରେ ଲଗାଇବା ସହ ସଂକ୍ରମିତ ଆଶଙ୍କା ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାମରେ ନ ଲଗାଇବାକୁ କୁହାଯାଇଛି। ଫାର୍ମରେ ପ୍ରବେଶ ଦ୍ବାରରେ କୃଷି ଯନ୍ତ୍ରପାତି ନିୟମିତ ବିଶୋଧନ କରାଯିବା ସହ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡ଼ି ଓ ବସ୍ତାଗୁଡ଼ିକୁ ମଧ୍ୟ ବିଶୋଧନ କରାଯିବ। କୃଷିଜାତ ଉତ୍ପାଦଗୁଡ଼ିକୁ ଶୁଖାଇବା, ଉଡ଼ାଇବା, ସଫା କରିବା, ବାଛିବା ଓ ସୁରକ୍ଷିତ ଭାବେ ରଖିବା ସମୟରେ ମୁହଁରେ ଜଳୀୟ ବାଷ୍ପକଣା ଓ ଧୂଳି ନ ପଶିବା ପାଇଁ ମାସ୍କ ବ୍ୟବହାର କରିବେ।

ବର୍ତ୍ତମାନ ସମୟରେ କ୍ଷେତରେ ଥିବା ଫସଲର ପରିଚାଳନା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଛି। ଗହମ ଉତ୍ପାଦନ ହେଉଥିବା ଅଞ୍ଚଳଗୁଡ଼ିକରେ ଚଳିତ ବର୍ଷ ତାପମାତ୍ରା ହାରାହାରି ଠାରୁ କମ୍ ରହୁଥିବାରୁ ଗହମ ଅମଳ ସମୟକୁ ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇ ପାରିବ। ଆମ୍ବ ପରି ଉଦ୍ୟାନ ଭିତ୍ତିକ ଫସଲରେ ଫଳ ଧରିବା ସମୟରେ ଖାଦ୍ୟ ସାର ଓ କୀଟନାଶକ ପ୍ରୟୋଗ ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନପୂର୍ବକ ବ୍ୟବହାର ଉପରେ ସ୍ପ୍ରେୟର୍‌କୁ ଭଲ ଭାବେ ଡିଟର୍‌ଜେଣ୍ଟ୍‌ରେ ଧୋଇବା ଆବଶ୍ୟକ। ଖରାଟିଆ ଡାଲିଜାତୀୟ ଫସଲରେ ଧଳା ମାଛି ଜନିତ ସାହେବି ରୋଗ ପରିଚାଳନା କରାଯିବା ସମୟରେ ସ୍ବାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁୂ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର