କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ମର ଶରୀର ପରିଚାଳନା ନେଇ ନିର୍ଦ୍ଦେଶାବଳୀ : ଆତ୍ମୀୟଙ୍କୁ ଶବ ଛୁଇଁବା ମନା

ମୃତ୍ୟୁ ପରେ ଲିକ୍‌ ପ୍ରୁଫ୍ ପ୍ଲାଷ୍ଟିକ୍‌ ବ୍ୟାଗରେ ନିଆଯିବ ମର ଶରୀର
ସାମାଜିକ ଦୂରତା ପୂର୍ବକ ସଂସ୍କାର କରାଯିବ
ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି

ଭୁବନେଶ୍ୱର : କରୋନା ଜନିତ କିମ୍ବା କରୋନା ସନ୍ଦେହ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଆତ୍ମୀୟମାନେ ଛୁଇଁ ପାରିବେ ନାହିଁ। ମରଶରୀରକୁ ଧାର୍ମିକ ରୀତିନୀତି ଅନୁଯାୟୀ ସଂସ୍କାର କରାଯିବ। ଶବ ପରିଚାଳନା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଆଧାରରେ ଆଜି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ କୌଣସି ବ୍ୟକ୍ତିଙ୍କର ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ପୂରାଇ ବିଶୋଧନ ପୂର୍ବକ ସଂସ୍କାର ପାଇଁ ନିଆଯିବ। ତେବେ ସଂସ୍କାର ପାଇଁ ଏସ୍‌ଆର୍‌ସି ୮ଟି ନିୟମ ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ମୃତ ଶରୀରକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି କରିବା ପରେ ତାର ବାହାର ପଟକୁ ୧% ହାଇପୋକ୍ଲୋରାଇଟ୍‌ରେ ବିଶୋଧନ କରାଯିବ। ପରେ ଶେଷକୃତ୍ୟ ପାଇଁ ପରିବାର କିମ୍ବା ଆତ୍ମୀୟଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଚାଦର ଢାଙ୍କି ଦିଆଯାଇ ଶ୍ମଶାନକୁ ନିଆଯିବ। ମୃତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ ପ୍ରକୋଷ୍ଠରୁ ବାହାର କରିବା ପରେ ପରିବାର ବର୍ଗ ଓ ଆତ୍ମୀୟମାନେ ଦୂରରୁ ଶେଷ ଦର୍ଶନ କରିପାରିବେ। ଏହି ସମୟରେ ବିନା ଶବ ଛୁଇଁ ଧାର୍ମିକ ରୀତିନୀତି ପୂର୍ବକ ଧର୍ମଗ୍ରନ୍ଥ ପାଠ, ପବିତ୍ର ଜଳ ସିଞ୍ଚନ କରିବାକୁ ସୁଯୋଗ ଦିଆଯିବ। କୋଭିଡ୍‌ ଚିହ୍ନଟ ହୋଇଥିବା ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ମୃତ୍ୟୁ ପରବର୍ତ୍ତୀ ମର ଶରୀରର ସଂସ୍କାର ବାବଦରେ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ୭ ହଜାର ୫୦୦ ଟଙ୍କା ମଞ୍ଜୁର କରିଛନ୍ତି। ପ୍ରତ୍ୟେକ ମୃତ ଶରୀରକୁ ସମ୍ମାନର ସହ ଶ୍ମଶାନକୁ ନିଆଯିବ। ଶେଷକୃତ୍ୟ ସମ୍ପନ୍ନ କରିବା ପୂର୍ବରୁ ଆତ୍ମୀୟମାନେ ଶବକୁ ନ ଛୁଇଁ ନିରାପତ୍ତା ଦୂରତାରୁ ଧାର୍ମିକ ରୀତିନୀତି କାର୍ଯ୍ୟ କରିପାରିବେ। ଏଥିପାଇଁ ସମସ୍ତ ସଦସ୍ୟମାନେ ମୁହଁରେ ମାସ୍କ୍‌ ପିନ୍ଧିବା ସହ ହାତକୁ ବାରମ୍ବାର ସାନିଟାଇଜ୍‌ କରିବେ। ମରଶରୀରକୁ ଗାଧୋଇବା, ଚୁମ୍ବନ ଦେବା କିମ୍ବା ଆଲିଙ୍ଗନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଶବ ଦାହ ସଂସ୍କାର ପରେ ପରିବାର ବର୍ଗଙ୍କୁ ଶ୍ମଶାନ କର୍ମଚାରୀ ଅସ୍ଥି ଓ ପାଉଁଶ ଯୋଗାଇ ଦେବେ। କୌଣସି ବି ପରିସ୍ଥିତିରେ ଧାର୍ମିକ ପୁରୋହିତଙ୍କ ସମେତ ୨୦ରୁ ଅଧିକ ବ୍ୟକ୍ତି ଶେଷକୃତ୍ୟ ବେଳେ ଏକାଠି ହେବେ ନାହିଁ। ଯଦି ପରିବାର ସଦସ୍ୟ ଶେଷକୃତ୍ୟରେ ସାମିଲ ହେବାକୁ ନ ଚାହିଁବେ, ତାହେଲେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ଶରୀରକୁ ଧାର୍ମିକ ରୀତିନୀତି ଅନୁଯାୟୀ ସଂସ୍କାର କରାଯିବ। ଏହାସହିତ କୌଣସି ମୃତ ବ୍ୟକ୍ତିଙ୍କର ଧର୍ମ ନେଇ ଯଦି ଦ୍ବନ୍ଦ୍ବ ଥାଏ, ତାହେଲେ ବି ସମ୍ମାନର ସହ ସଂସ୍କାର କରାଯିବ। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଅନୁପାଳନ କରିବାକୁ ଏସ୍‌ଆର୍‌ସି ଶ୍ରୀ ଜେନା କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର