‘ଖୁସି’ ପାଇଁ ଗାଇଡ୍‌ଲାଇନ୍‌ : ବାଣ୍ଟିବା ଦାୟିତ୍ୱରେ ରହିବେ ଶିକ୍ଷୟିତ୍ରୀ, ସ୍କୁଲ୍‌ ସ୍ଥିର କରିବ ଖୁସି ଦିବସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ‘ଖୁସି’ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଗାଇଡ୍‌ଲାଇନ୍‌ ଜାରି କରିଛି ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା)। ଏହି ଯୋଜନା ଅଧୀନରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରାଯାଇଛି। ୬ଷ୍ଠରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରୀଙ୍କୁ କିଭଳି ସାନିଟାରି ନାପକିନ୍‌ ବଣ୍ଟନ କରାଯିବ ସେନେଇ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ଏଥିରେ କୁହାଯାଇଛି ଯେ ସିଆର୍‌ସିସିମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରୀଙ୍କ ଚିହ୍ନଟ କରିବେ। ଏହାର ଏକ ତାଲିକା ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରଦାନ କରିବେ। ସ୍କୁଲର ଜଣେ ମହିଳା ଶିକ୍ଷୟିତ୍ରୀ ଏହି ଯୋଜନା ଦାୟିତ୍ୱରେ ରହିବେ। ତାଙ୍କୁ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯିବ। ୨୦୧୭-୧୮ରେ ଦିଆଯାଇଥିବା କୈଶୋର ତାଲିମରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ଭାଗ ନେଇଥିବା ଆବଶ୍ୟକ। ଯଦି କୌଣସି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ନ ଥିବେ ତେବେ ନିକଟସ୍ଥ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ନୋଡାଲ ଅଫିସର୍‌ କରାଯାଇପାରିବ।

ସ୍କୁଲ ପକ୍ଷରୁ ଗୋଟିଏ ଦିନକୁ ‘ଖୁସି’ ଦିବସ ଭାବେ ଘୋଷଣା କରାଯିବ। ଯେଉଁଦିନ ଛାତ୍ରୀଙ୍କୁ ପ୍ୟାଡ୍‌ ବଣ୍ଟନ କରାଯିବ। ଶିକ୍ଷୟିତ୍ରୀ ଜଣକ ଏକ ପଞ୍ଜୀକରଣ ଖାତା ରଖିବେ। ଯେଉଁଥିରେ ପ୍ୟାଡ୍‌ ନେଉଥିବା ଛାତ୍ରୀମାନେ ଦସ୍ତଖତ କରିବେ। ସାନିଟାରି ନାପକିନ୍‌ର ସଠିକ୍‌ ବ୍ୟବହାର ଓ ନଷ୍ଟ ସମ୍ପର୍କରେ ଛାତ୍ରୀଙ୍କୁ ନୋଡାଲ ଅଧିକାରୀ ସଚେତନ କରାଇବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଫର୍ମାଟ୍‌ ଅନୁଯାୟୀ ନାପକିନ୍‌ର ସ୍ଥିତି ସମ୍ପର୍କରେ ପ୍ରଧାନଶିକ୍ଷକ/ ସିଆର୍‌ସିସି/ବିଇଓ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥ୍ୟ ଜଣାଇବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର