ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ସକାଳ ୭ଟା ପୂର୍ବରୁ ଓ ରାତି ୮ଟା ପରେ ମାଇକ୍‌ ଯୋଗେ ପ୍ରଚାର କରିବା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଯେପରି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ସେନେଇ ପୁଲିସ ଓ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଧନଞ୍ଜୟ ସ୍ବାଇଁ ଓ ବ୍ୟୟ ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମହାକୁଡ଼ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ପୋଲିଂ ଏଜେଣ୍ଟ୍‌ମାନେ କୋଭିଡ୍ ନିୟମ ପାଳନ କରିବେ। ଧାର୍ମିକ ଅନୁଷ୍ଠାନ, ସରକାରୀ କୋଠାବାଡ଼ିରେ କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ପ୍ରଚାର ପାଇଁ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ପ୍ରାର୍ଥୀମାନେ ପୂର୍ବରୁ ଅନୁମତି ନେବେ। ସମସ୍ତ ପ୍ରଚାରପତ୍ରରେ ମୁଦ୍ରାକର ଓ ପ୍ରକାଶକଙ୍କ ନାମ ଉଲ୍ଲେଖ ରହିବ। ଭୋଟ୍‌ ଗ୍ରହଣର ୩୬ ଗଣ୍ଟା ପୂର୍ବରୁ କୌଣସି ପ୍ରଚାର ହେବ ନାହିଁ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୫ଲକ୍ଷ ଟଙ୍କା , ୫ଟି କାର ବା ଜିପ୍ ଓ ୧୦ଟି ଦୁଇ ଚକିଆ ଯାନ ନିର୍ବାଚନ ପାଇଁ ବ୍ୟବହାର କରିପାରିବେ। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା, ଦୁଇଟି କାର୍ କିମ୍ବା ଜିପ୍ ଓ ୫ଟି ଦୁଇ ଚକିଆ ଯାନ ବ୍ୟବହାର କରିପାରିବେ। ପ୍ରାର୍ଥୀ ନିଜର ଦୈନିକ ଖର୍ଚ୍ଚର ବିବରଣୀ ନିର୍ଦ୍ଧାରିତ ଫର୍ମରେ ଲେଖିବେ ଓ ଖର୍ଚ୍ଚର ହିସାବ ଲିପିବଦ୍ଧ କରିବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ପିଡି ଡିଆର୍‌ଡିଏ ଦିଗନ୍ତ ରାଉତରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ।