ଅନୁଗୁଳ: ‌ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଜଙ୍ଗଲରେ ପର୍ଯ୍ୟଟକ ସୁରକ୍ଷିତ ତ? ଦିନ କେଇଟା ତଳେ ଏଠାରେ ୫ଜଣ ଛାତ୍ର ନିଖୋଜ ହେବା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି। ଜଙ୍ଗଲ ଭିତରେ ଗୁଗୁଲ୍‌ ମ୍ୟାପ୍‌ କାମ ନ କରିବା ଓ କମ୍ପାସ୍‌ ବାବଦରେ ଅନେକଙ୍କର ଅଭିଜ୍ଞତା ନଥିବାବେଳେ ଜଙ୍ଗଲରୁ କେମିତି ସୁରକ୍ଷିତ ଘରକୁ ଫେରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ସବୁ ସମୟରେ ବନବିଭାଗ ଟିମ୍‌ ଠିକ୍‌ ସମୟରେ ଯାଇ ଯେ ଉଦ୍ଧାର କରିବ ତାହାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ। ତେଣୁ ଏହାର ସମାଧାନ କ’ଣ ହେବା ଦରକାର ତାହାକୁ ନେଇ ପର୍ଯ୍ୟଟକ ଚିନ୍ତା ପ୍ରକଟ କରିଥିଲାବେଳେ ବନବିଭାଗ କିଛି ଗାଇଡ୍‌ଲାଇନ୍‌ ଆଣିବା ପାଇଁ ଯାଉଥିବା ଜଣାପଡ଼ିଛି।
ଢେଙ୍କାନାଳ ସଦର ରେଂଜ୍‌ରେ ରହିଛି ସପ୍ତଶଯ୍ୟା ସଂରକ୍ଷିତ ଜଙ୍ଗଲ। ଏଠାକାର ମନଲୋଭା ପରିବେଶକୁ ଉପଭୋଗ କରିବାକୁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଘଞ୍ଚ ସବୁଜ ଜଙ୍ଗଲ ପର୍ଯ୍ୟଟକଙ୍କୁ ଏଠାକୁ ଡାକି ଆଣେ। ଏପରିକି ସରକାର ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବି କରିଛନ୍ତି। ହେଲେ ଗଲା ୩୦ ତାରିଖରେ କଟକ ଅଞ୍ଚଳରୁ ଆସିଥିବା ୪ଜଣ ଓ ଢେଙ୍କାନାଳ ଜିଲ୍ଲାର ଜଣେ ଛାତ୍ର ସପ୍ତଶଯ୍ୟାକୁ ବୁଲିବାକୁ ଆସି ନିଖୋଜ ହୋଇଯିବା ପରେ ଚିନ୍ତା ବଢ଼ିଛି। ଜଙ୍ଗଲ ଭିତରେ ଥିବା ରାମ ମନ୍ଦିର ପର୍ଯ୍ୟନ୍ତ ପର୍ଯ୍ୟଟକ ବୁଲିବାକୁ ଅନୁମତି ଥିଲାବେଳେ ୟୁଟୁବ୍‌ ଭ୍ଲଗିଂ ନିଶାରେ ଛାତ୍ରମାନେ ଆହୁରି ଉପରକୁ ପଳାଇଥିବା କୁହାଯାଉଛି। ସଦର ରେଂଜର୍‌ ବିଭୁଦାନନ୍ଦ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ ପ୍ରାୟ ସାଢ଼େ ୩ କି.ମି ଉପରକୁ ଯାଇ ନିଖୋଜ ଛାତ୍ରଙ୍କୁ ଠାବ କରି ରାତି ଅଧରେ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାକୁ ନେଇ ବନ ବିଭାଗ କଠୋର ହେବାକୁ ଯାଉଛି। ସଂରକ୍ଷିତ ଜଙ୍ଗଲରେ ଭାଲୁ, ହାତୀଙ୍କ ଭଳି ହିଂସ୍ର ଜନ୍ତୁ ଏବଂ ଅଜଗର ଓ ଅହିରାଜ ଭଳି ବିଷଧର ସାପ ରହିଥିବାରୁ ମନଇଚ୍ଛା ଯେପରି ପର୍ଯ୍ୟଟକ ନ ବୁଲନ୍ତି ତାହାକୁ ଦେଖିବାକୁ ସ୍ଥିର ହୋଇଛି।
ଏଥିପାଇଁ ବନବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଆସିବାକୁ ଯାଉଛି। ଜଙ୍ଗଲ ଭିତରେ କେଉଁ ସ୍ଥାନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦିଆଯିବ ସେନେଇ ସୂଚନା ଫଳକ ଲାଗିବ। ଜଙ୍ଗଲ ଭିତରେ ଅନଧିକାର ପ୍ରବେଶ ନିଷେଧ ନେଇ ବି ଫଳକ ଲାଗିବ। ସେହିପରି ରାମ ମନ୍ଦିରରେ ରହୁଥିବା ସେବାୟତମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରାଯିବ ବୋଲି ଜଣାପଡ଼ିଛି। ରାମ ମନ୍ଦିରଠାରୁ ଯେପରି ଅନ୍ୟମାନେ ପାହାଡ଼ ଉପରକୁ ନ ଯାଆନ୍ତି ସେଥିନେଇ ସେମାନେ ନଜର ରଖିବେ। ସେଠାରେ ବନବିଭାଗର ଜ‌ଣେ ୱାଚର୍‌ ମଧ୍ୟ ନିୟୋଜିତ ହେବେ। ଯଦି କେହି ଅମାନିଆ ହୋଇ ଅନ୍ୟ ଆଡ଼େ ଯାଆନ୍ତି ତେବେ ତୁରନ୍ତ ବନବିଭାଗ ରେଂଜ୍‌ କାର୍ଯ୍ୟାଳୟକୁ ସୂଚନା ଦିଆଯିବ। ସମ୍ପୃକ୍ତ ଅମାନିଆଙ୍କୁ ବନବିଭାଗ ନୋଟିସ୍, ଜରିମାନା କିମ୍ବା ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ କରିପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏ ସମ୍ପର୍କରେ ସଦର ରେଂଜର ଶ୍ରୀ ମିଶ୍ରଙ୍କୁ ପଚାରିବାରେ, ପର୍ଯ୍ୟଟକମାନେ ବନବିଭାଗ ଦ୍ବାରା ଚିହ୍ନଟ ହୋଇଥିବା ପର୍ଯ୍ୟଟନସ୍ଥଳୀ ବୁଲିବା ଦରକାର। ସେମାନଙ୍କ ସୁରକ୍ଷାକୁ ବନବିଭାଗ ପ୍ରାଥମିକତା ‌ଦେଇଥାଏ। ତେଣୁ ସେମାନେ ମଧ୍ୟ ବନବିଭାଗର ଗାଇଡ୍‌ ଲାଇନ୍‌ ମାନିବା ଦରକାର ବୋଲି ସେ କହିଛନ୍ତି। ଛାତ୍ର ନିଖୋଜ ଘଟଣା ପରେ ବନବିଭାଗ ଆହୁରି ତତ୍ପର ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ତୀର ଚିହ୍ନ ଦିଆଯିବା ସହିତ ବନ କର୍ମଚାରୀଙ୍କୁ ଆଲର୍ଟ ରଖାଯିବ ବୋଲି ସେ କହିଛନ୍ତି। ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଖୁବଶୀଘ୍ର ଗାଇଡ୍‌ ଲାଇନ୍‌ ଆଣିପାରନ୍ତି। ତେବେ ଭ୍ଲଗିଂ କିମ୍ବା ଭିଡିଓ/ଫଟୋ ନିଶାରେ ପର୍ଯ୍ୟଟକମାନେ ସଂରକ୍ଷିତ ଜଙ୍ଗଲରେ ମନ ଇଚ୍ଛା ନ ବୁଲନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅନୁଗୁଳର ଭ୍ଲଗର ମୋହନ ପ୍ରଧାନ କହିଛନ୍ତି, ଜଙ୍ଗଲକୁ ବୁଲିବାକୁ ଗଲାବେଳେ ଆମେ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ କଥା ଭୁଲିଯିବା ଉଚିତ ନୁ‌ହେଁ। ତେଣୁ ସେମାନଙ୍କ ସୁରକ୍ଷା ଓ ନିଜ ସୁରକ୍ଷା ଦୃଷ୍ଟିରୁ ବନବିଭାଗର ଅନୁମତି ଥିବା ସ୍ଥାନ ପର୍ଯ୍ୟନ୍ତ ବୁଲିବା ଉଚିତ। ନଚେତ କିଛି ଅଘଟଣ ଘଟିଲେ କ’ଣ କରାଯିବ? ଭ୍ଲଗିଂ ନିଶାରେ ମନଇଚ୍ଛା ବୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ବରର ଟ୍ରିପ୍‌ ଆଡଭାଇଜର୍‌ ସଂସ୍ଥା ‘ଇକୋଟେରିଆ’ର ନିର୍ଦ୍ଦେଶକ ଭବାନୀ ପାତ୍ର କହିଛନ୍ତି, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ଓ ପ୍ରଶାସନ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ଆଣନ୍ତୁ ଓ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉ। ନଚେତ ପର୍ଯ୍ୟଟକ ବଦଳରେ ଯଦି ଶିକାରୀ ଜଙ୍ଗଲରେ ସକ୍ରିୟ ହେବେ ତେବେ ଆଉ ଜଙ୍ଗଲ କି ଜଙ୍ଗଲୀ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିବନି।