ତାରିଣୀ ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି; ୧୦ ବର୍ଷରୁ କମ୍‌ ପିଲାଙ୍କୁ ମନ୍ଦିର ମନା‌

ଘଟଗାଁ: ଆଉ ଦିନକ ପରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଖୋଲିବ। ସର୍ବସା‌ଧାରଣଙ୍କୁ ଦର୍ଶନ ଦେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଆଜି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ସୂଚନା ଦିଆଯାଇଛି।

ଶ୍ରଦ୍ଧାଳୁମାନେ ବ୍ୟାରିକେଡ ମଧ୍ୟରେ ଧାଡ଼ିରେ ଆସି ମା’ଙ୍କ ଦର୍ଶନ କରିବେ। ନଡ଼ିଆ ଓ ଅନ୍ୟାନ୍ୟ ଭୋଗ ପୂଜାକୁ ବାରଣ କରାଯାଇଛି। ସେହିପରି ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ଦ୍ବାର କରାଯାଇଛି। ଏକାସାଙ୍ଗରେ ବେଢ଼ା ଭିତରକୁ ୨୫ରୁ ୩୦ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ। ୧୦ ବର୍ଷରୁ କମ୍‌ ପିଲାଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଚୁଳପକା କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ପୂଜକମାନେ ଶ୍ରଦ୍ଧାଳୁଙ୍କୁ ପାଦୁକ, ସିନ୍ଦୂର, ବେଲପତ୍ର ଦେଇପାରିବେ ନାହିଁ। ସକାଳ ଓ ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ। ପ୍ରଥମ ଦିନ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ମା’ଙ୍କ ପ୍ରଥମ ପୂଜକ ଓ ସେବାୟତ ପରିବାରଙ୍କୁ ଦର୍ଶନ ପା‌ଇଁ ସୁଯୋଗ ଦିଆଯିବ।

ସେହିପରି ଅନ୍ନ ପ୍ରସାଦ ପ୍ରସ୍ତୁତି ଓ ବିକ୍ରିକୁ ବନ୍ଦ କରାଯାଇଛି। ମନ୍ଦିର ମଧ୍ୟରେ ଥିବା ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁମାନେ ଗାଡ଼ି ପୂଜା ପାଇଁ ୫ ନମ୍ବର ଗେଟ୍‌ ଦେଇ ଯିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି। ଏହାଛଡ଼ା ମନ୍ଦିରରେ ବାହାଘର, ହୋମଯଜ୍ଞ, ନିର୍ବନ୍ଧ ଓ ଅନ୍ୟାନ୍ୟ ପୂଜାକୁ ବାରଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଟ୍ରଷ୍ଟବୋର୍ଡ ସଦସ୍ୟ ଦୟାନିଧି ମହାନ୍ତ ଓ ଆନନ୍ଦ ଚନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର