କରୋନାରୁ ସୁସ୍ଥ ରୋଗୀଙ୍କ ପାଇଁ ଜାରି ହେଲା ନିର୍ଦେଶନାମା : ଡିସଚାର୍ଜର ୭ଦିନ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦେଶ

ରୋଗୀ ନିୟମିତ ଯୋଗ, ପ୍ରାଣାୟମ, ଗରମ ପାଣି ପିଇବା ଜରୁରୀ
ସୁଷମ ଖାଦ୍ୟ, ଯଥେଷ୍ଟ ନିଦ୍ରା ସହିତ ଧୂମପାନ ଓ ମଦ୍ୟପାନଠାରୁ ଦୂରରେ ରୁହ

ଭୁବନେଶ୍ୱର : କରୋନା ସଂକ୍ରମଣ ନୁହେଁ ଏବେ ପୋଷ୍ଟ୍‌ କୋଭିଡ୍‌ ବା ସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ଅନେକ ପ୍ରକାର ସମସ୍ୟା ଦେଖା ଗଲାଣି। କରୋନାରୁ ସୁସ୍ଥ ହୋଇଥିବା ରୋଗୀ ହଲିଆ ଲାଗିବା, ଦେହ ଘୋଳାବିନ୍ଧା, କାଶ, ମାୟୋକାର୍ଡିଓସିସ୍, ମାଇକାର୍ଡିଆଲ ଇନଫାର୍କସନ୍, ଷ୍ଟ୍ରୋକ୍, ସ୍ବାଦ ଓ ଗନ୍ଧରେ ଅସ୍ବାଭାବିକ ପରିବର୍ତନ, ଆଜ୍‌ମା, ମଧୁମେହ ଓ ସିଓପିଡି ଭଳି ରୋଗରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ଏଭଳି ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। ଆଜି ବିଭାଗ ପକ୍ଷରୁ ପୋଷ୍ଟ୍‌ କୋଭିଡ୍‌ ଫଲୋଅପ୍ ଓ ପରିଚାଳନା ପ୍ରୋଟୋକଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ମୁଖ୍ୟତଃ ୩ଟି କ୍ଷେତ୍ର ଜରିଆରେ ପୋଷ୍ଟ କୋଭିଡ୍‌ ସମସ୍ୟାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଗୋଟିଏ ବ୍ୟକ୍ତିଗତ ସ୍ତରରେ, ଅନ୍ୟଟି ଗୋଷ୍ଠୀ ସ୍ତରରେ ଓ ତୃତୀୟଟି ହସ୍ପିଟାଲ ଜରିଆରେ ରୋଗୀମାନେ ନିଜ ସ୍ବାସ୍ଥ୍ୟର ଫାଲୋଅପ୍ କରିବା ଲାଗି କୁହାଯାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀ ୭ଦିନ ପରେ ପ୍ରଥମଥର ଲାଗି ବ୍ୟକ୍ତିଗତ/ଟେଲିଫୋନ୍ ଜରିଆରେ ଯେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେଠାରେ ଫଲୋଅପ୍ କରିବେ। ପରବର୍ତୀ ସମୟରେ ୪ ସପ୍ତାହ ଓ ୧୨ ସପ୍ତାହ ପରେ ନିୟମିତ ବ୍ୟବଧାନରେ ହସ୍ପିଟାଲ ସହିତ ଯୋଗାଯୋଗ କରିବା ଲାଗି କୁହାଯାଇଛି। ଯେଉଁ ରୋଗୀମାନେ ଗୃହ ପୃଥକବାସରେ ରହିଛନ୍ତି ଓ ସେମାନଙ୍କର ସମସ୍ୟା ଦେଖାଦିଏ ତା’ ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିବେ। ମାତ୍ର ଗୁରୁତର ରୋଗୀଙ୍କୁ ଅଧିକ କ୍ରିଟିକାଲ କେୟାର ଆବଶ୍ୟକତା ଥିବାରୁ ଫଲୋଅପ୍‌କୁ ସୁଦୃଢ଼ କରିବାକୁ କୁହାଯାଇଛି। ୪ ସପ୍ତାହରେ ରୋଗୀଟିଏ ବ୍ୟକ୍ତିଗତ ଭାବେ ହସ୍ପିଟାଲକୁ ଯିବା ସହିତ ଆବଶ୍ୟକ ପଡ଼ିଲେ ଛାତିର ଏକ୍ସ-ରେ କରିବେ। ୧୨ ସପ୍ତାହରେ ଛାତିର ଏକ୍ସ-ରେ ସହିତ ଛାତିର ପରୀକ୍ଷା, ଅକ୍ସିଜେନ୍‌ସ୍ତର ମାପିବା ଓ ଇସିଜି କରାଯିବ। ଯଦି ଏକ୍ସ-ରେ ରେ କୌଣସି ପ୍ରକାର ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳେ ତାହାଲେ ସିଟି ଥ୍ରୋକ୍ସ, ସିଟି ପଲମୋନାରି ଆଞ୍ଜିଓଗ୍ରାଫି କରାଯିବା ଜରୁରୀ। ଏହାସହ ରୋଗୀଙ୍କ କେଉଁ କେଉଁ ଜଟିଳ ରୋଗ ରହିଛି ତାହାର ଅନୁଧ୍ୟାନ କରାଯିବା ସହିତ ସେହି ଅନୁଯାୟୀ ଚିକିତ୍ସା କରାଯିବ।

ସେହିପରି କରୋନାରୁ ସୁସ୍ଥ ହେଲେ ମଧ୍ୟ ବ୍ୟକ୍ତି ଜଣକ ନିୟମିତ ଭାବେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ଓ ହାତ ଓ ନିଶ୍ବାସ ପ୍ରଶ୍ବାସକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଯଥେଷ୍ଟ ପରିମାଣର ଗରମ ପାଣି ପିଇବା ସହିତ ସୁସ୍ଥତା ଅନୁସାରେ ଘର କିମ୍ବା ବୃତ୍ତିଗତ କାର୍ଯ୍ୟ କରିପାରିବେ। ସ୍ବଳ୍ପରୁ ମଧ୍ୟମ ଧରଣର ବ୍ୟାୟାମ ସହିତ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା ଉଚିତ୍। ବିଶେଷକରି ନିଶ୍ବାସ ପ୍ରଶ୍ବାସ ଜନିତ ବ୍ୟାୟମ ସହିତ ସକାଳ ଓ ସଂଖ୍ୟାରେ ଚାଲିବା ଉପରେ ଗୁରୁତ୍ବ ଦିଆଯାଇଛି। ସୁଷମ ଖାଦ୍ୟ ଖାଇବା ସହିତ ଉପଯୁକ୍ତ ନିଦ୍ରା, ଧୂମପାନ ଓ ମଦ୍ୟପାନକୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍। ଯଦି ଜ୍ବର, ନିଶ୍ବାସ ପ୍ରଶ୍ବାସ ସମସ୍ୟା(ଅକ୍ସିଜେନ୍ ସ୍ତର ୯୫%ରୁ କମ୍‌), ଛାତିରେ ଭୀଷଣ ଯନ୍ତ୍ରଣା ଓ ଦୁର୍ବଳ ଲାଗିଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବେ। ଅପରପକ୍ଷରେ ଗୋଷ୍ଠୀସ୍ତରରେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଧାର୍ମିକ ନେତୃବୃନ୍ଦ, ଗୋଷ୍ଠୀସ୍ତରୀର‌ ନେତୃମଣ୍ଡଳୀଙ୍କ ଜରିଆରେ ସଚେତନତା କରିପାରିବେ। ସାମାଜିକ ଦୂରତ୍ବ ବଜାୟ ରଖି ଗଣ ଯୋଗ ଓ ଧ୍ୟାନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର