ପୂଜା ପାଇଁ ଜାରି ହେଲା ନିର୍ଦେଶାବଳି : ମୂର୍ତ୍ତି ଉଚ୍ଚତା ୪ଫୁଟ୍‌ରୁ ବଢ଼ିବନି

ଅତି ବେଶିରେ ମଣ୍ଡପରେ ୭ ଜଣ ରହିପାରିବେ
ଭକ୍ତଙ୍କୁ ମଣ୍ଡପ ମନା, ଭସାଣି ଶୋଭାଯାତ୍ରା ବନ୍ଦ
ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ନିର୍ଦେଶ

ଭୁବନେଶ୍ୱର : କରୋନା ପାଇଁ ଫିକା ପଡ଼ିବ ପାର୍ବଣ ଆଡ଼ମ୍ବର। କେବଳ ବିଧିକୁ ବଞ୍ଚେଇ ରଖିବା ଉଦ୍ଦେଶ୍ୟ ନେଇ ପୂଜା କରାଯିବ। ଏଥିପାଇଁ ପୂଜା କମିଟିକୁ ସ୍ବତନ୍ତ୍ର ନିର୍ଦେଶାବଳୀ ମାନିବାକୁ ପଡ଼ିବ। ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ଆଜି ଏ ନେଇ ସ୍ବତନ୍ତ୍ର ନିର୍ଦେଶାବଳି ଜାରି କରିଛନ୍ତି। ନଭେମ୍ବର ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଓ ଅନ୍ୟାନ୍ୟ ପୂଜା ଆୟୋଜନରେ ବିଶେଷ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ନିର୍ଦେଶାବଳି ଅନୁଯାୟୀ, କୌଣସି ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ କିମ୍ବା ତାଙ୍କ ପ୍ରାଧିକୃତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କଟକ ଓ ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ ଅଧୀନରେ ଆସୁଥିବା ଅଞ୍ଚଳରେ ପୁଲିସ୍‌ କମିସନର୍‌ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ପୂଜା କେବଳ ଆଭ୍ୟନ୍ତରୀଣ ପରିବେଶରେ ପାଳନ କରାଯିବ। କୌଣସି ଆଡ଼ମ୍ବର ହେବ ନାହିଁ। କେବଳ ବିଧି ପାଳନ ହେବ। ‌ମୂର୍ତିର ଉଚ୍ଚତା ୪ଫୁଟ୍‌ ମଧ୍ୟରେ ସୀମିତ ରଖାଯିବ। ପୂଜା ବେଳେ ଓ ପରେ ମଣ୍ଡପ ମଧ୍ୟରେ କର୍ତା, ପୂଜାରୀ ଓ ସହଯୋଗୀଙ୍କୁ ମିଶାଇ ମାତ୍ର ୭ଜଣ ରହିପାରିବେ। ଭକ୍ତଙ୍କୁ ପୂଜା ପେଣ୍ଡାଲ୍‌ ମଧ୍ୟକୁ ପ୍ରବେଶର ଅନୁମତି ଦିଆଯିବ ନାହିଁ। ମଣ୍ଡପର ୩ ପାର୍ଶ୍ବ ଆଢ଼ୁଆଳ କରାଯିବ। ୪ର୍ଥ ପାର୍ଶ୍ବରେ କେବଳ ରାସ୍ତା ରଖାଯାଇ ଏପରି ଆଢ଼ୁଆଳ କରାଯିବ, ଯେମିତି ମା’ ଲୋକଙ୍କୁ ଦୃଶ୍ୟମାନ ହେବେ ନାହିଁ। ପୂଜା ମଣ୍ଡପରେ ଉପସ୍ଥିତ ସମସ୍ତ ବ୍ୟକ୍ତି କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟକ୍ତିଗତ ପରିଚ୍ଛନ୍ନତା ଭଳି କୋଭିଡ୍‌ ନିୟମ ଅନୁପାଳନ କରିବେ। ସ୍ଥାନୀୟ ପ୍ରଶାସନ ଯଦି ଅନ୍ୟ କୌଣସି ସର୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଏ, ତାହା ମଧ୍ୟ ପୂଜା ଆୟୋଜକ କମିଟିମାନଙ୍କୁ ମାନିବାକୁ ପଡ଼ିବ। ସେହିପରି ଭସାଣି ଶୋଭାଯାତ୍ରା ହେବ ନାହିଁ। ସ୍ଥାନୀୟ ପ୍ରଶାସନ ଦ୍ବାରା ନିର୍ମିତ ହୋଇଥିବା କୃତ୍ରିମ ପୋଖରୀରେ ମୂର୍ତି ବିସର୍ଜନ କରାଯିବ। ସଂଗୀତଭିତ୍ତିକ କିମ୍ବା ଅନ୍ୟ କୌଣସି ମନୋରଂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ମହାନଗର କମିସନର, ପୁଲିସ କମିସନର ଏହି ସ୍ବତନ୍ତ୍ର ନିର୍ଦେଶାବଳିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବେ। କୌଣସି ବ୍ୟକ୍ତି ଏହାର ଉଲ୍ଲଂଘନ କଲେ, ଆଇନ ଅନୁଯାୟୀ ଦଣ୍ଡ ପାଇବେ ବୋଲି ଏସ୍‌ଆର୍‌ସି ଦର୍ଶାଇଛନ୍ତି।

ପ୍ରକାଶ ଥାଉକି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କରିବା ଅବସରରେ କହିଥିଲେ, କିଛି ଅମାନିଆଙ୍କ ଯୋଗୁଁ ଖୋର୍ଧା ଓ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନିୟମାବଳି ଉଲ୍ଲଂଘନ କରୁଥିବା ଲୋକଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର