ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍‌: ଜରୁରୀ ନଥିଲେ ଆଡମିସନ୍ ମନା

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଭିନ୍ନ ହସ୍ପିଟାଲରେ ବହୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ କରୋନା ଆକ୍ରାନ୍ତ ହେଲେଣି। ଆଗକୁ ଯେପରି ଚିକିତ୍ସାରେ ଏହା ବାଧକ ନସାଜେ ତାହାକୁ ନଜରରେ ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆର୍‌ଜିଏଚ୍‌, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଗାଇଡଲାଇନ୍ ଜାରି କରାଯାଇଛି।

ଡିଏମ୍‌ଇଟିଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍‌ରେ କୁହାଯାଇଛି ଯେ, ସବୁ ହସ୍ପିଟାଲରେ କୋଭିଡ କଟକଣା କଡ଼ାକଡ଼ି ପାଳନ ହେବା ଦରକାର। ଜରୁରୀ ସ୍ଥିତି ନଥିଲେ ରୋଗୀଙ୍କୁ ହସ୍ପିଟାଲରେ ଆଡମିସନ୍ କରନି। ଯେଉଁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହୋଇପାରିବ ସେଗୁଡ଼ିକ ବନ୍ଦ କରାଯାଉ। କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ନେଇ କରାଯାଉ। ଗୁରୁତର ଥିବା ଇନଡୋର୍‌ ରୋଗୀଙ୍କ ପାଇଁ ଜଣେ ଅାଟେଣ୍ଡାଣ୍ଟ ରହିପାରିବେ। ବାକି ରୋଗୀଙ୍କ ପାଖରେ କେହି ଆ‌ଟେଣ୍ଡାଣ୍ଟ ରହିବେନି। ଆମ୍ବୁଲାନ୍ସରେ ଯେଉଁ ଆକ୍ରାନ୍ତ ଆସିବେ ତାଙ୍କ ସହ କେହି ଆଟେଣ୍ଡାଣ୍ଟ ଆମ୍ବୁଲାନ୍ସରେ ଆସିବେନି। ଓପିଡିକୁ ଯେପରି ରୋଗୀମାନେ ବାରମ୍ବାର ଆସିବେନି ସେନେଇ ମେଡିକାଲ ଅଧିକାରୀ ପରାମର୍ଶ ଦେବେ। କୌଣସି ଓପିଡି କି ଆଇପିଡିକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେନି। ସାମାଜିକ ଦୂରତା ରଖିବା ପାଇଁ ଡିଡିସି କାଉଣ୍ଟରକୁ ବଢ଼ାଯିବ। ଉତ୍ସର୍ଗୀକୃତ ଜ୍ବର କ୍ଲିନିକ, ସଙ୍ଗରୋଧ ୱାର୍ଡ, ଟେଷ୍ଟିଂ ସୁବିଧା କରାଯିବ। କୋଭିଡ ପ୍ରୋଟୋକଲ୍ ଅନୁଯାୟୀ ପ୍ରସୂତି ଓ ନବଜାତଙ୍କର ଚିକିତ୍ସା କରାଯିବ। ଲୋକମାନେ ଯେପରି ଟେଲି ମେଡିସିନ୍ ସେବା ଅଧିକ ବ୍ୟବହାର କରିବେ ସେନେଇ ଉତ୍ସାହିତ କରାଯିବ। ଏସବୁ ଭିତରେ ଯେପରି କୋଭିଡ ନାଁରେ କୌଣସି ଜରୁରୀକାଳୀନ ସେବା ପ୍ରଭାବିତ ହେବନି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସବୁ ହସ୍ପିଟାଲରେ କୋଭିଡ ଗାଇଡଲାଇନ୍ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।

ସେହିପରି ଓପିଡିରେ ରୋଗୀଙ୍କ ସଂଖ୍ୟା କମାଇବା ସହ ଟେଲି ‌େମଡିସିନ ସେବା ଆରମ୍ଭ କରିବା ପାଇଁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆର୍‌ଜିଏଚ୍‌, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଲିମେଡିସିନ୍ ସେବା ଯୋଗାଇବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହାସହ କ୍ୟାପିଟାଲ ହସ୍ପିଟାଲ, ଆର୍‌ଜିଏଚ୍‌, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନୋଡାଲ ଅଧିକାରୀଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯିବ। ଏକ ହ୍ବାଟସଆପ୍ ନମ୍ବର ମଧ୍ୟ ଜାରି କରିବାକୁ କୁହାଯାଇଛି।

ରାଜ୍ୟର ତିନିଟି ପୁରୁଣା ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି, ଭିମସାର୍‌ ସମେତ ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର୍ ଏବଂ କଟକସ୍ଥିତ ଶିଶୁଭବନରେ ୨୪ଘଣ୍ଟିଆ ଟେଲି ମେଡିସିନ୍ ସେବା ଯୋଗାଇଦିଆଯିବ। ବାଲେଶ୍ବର, ବାରିପଦା, ବଲାଙ୍ଗୀର, କୋରାପୁଟ ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆର୍‌ଜିଏଚ୍‌, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରୁ ଅପରାହ୍ନ ୫ଟା, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଟେଲି ମେଡିସିନ୍ ସେବା ଆରମ୍ଭ ହେବ। ଏଥିପାଇଁ କଣ୍ଟ୍ରୋଲ ରୁମ୍‌ରେ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର