ଭୁବନେଶ୍ବର : ଲକ୍ଡାଉନ୍ ପାଇଁ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ପ୍ରବାସୀମାନେ ରହିଯାଇଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ଲୋକ ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଉଭୟ ଓଡ଼ିଶା ବାହାରୁ ଓ ଭିତରୁ ସରକାରଙ୍କୁ ବହୁ ପରିମାଣରେ ଅନୁରୋଧ ଆସୁଛି। ଏହାକୁ ନଜରରେ ରଖି ଆଜି ଆନ୍ତଃରାଜ୍ୟ ଯାତାୟତ ପାଇଁ ଗୃହ ବିଭାଗ ଗାଇଡ୍ଲାଇନ୍ ଜାରି କରିଛି। ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏ ନେଇ ଆଜି କମିସନରେଟ୍ ପୁଲିସ୍ ଓ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ଓଡ଼ିଶାରେ ରହିଯାଇଥିବା ବାହାର ରାଜ୍ୟର ଲୋକ କୌଣସି ସ୍ବାସ୍ଥ୍ୟଗତ କାରଣ କିମ୍ବା ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ନିଜ ରାଜ୍ୟକୁ ଫେରିବାକୁ ଚାହିଁଲେ, ଉପଜିଲ୍ଲାପାଳ/ତହସିଲ୍ଦାର/ଡିସିପି ତାହାକୁ ଅନୁଧ୍ୟାନ କରି ଅନୁମତି ଦେଇପାରିବେ। ଯଦି ଆବଦେନକାରୀଙ୍କୁ ଅନୁମତି ଦିଆଯିବ, ତେବେ ଆନ୍ତଃରାଜ୍ୟ ଅନୁମତି ପତ୍ରର ନକଲ ସଂପୃକ୍ତ ରାଜ୍ୟର ଜିଲ୍ଲାପାଳଙ୍କ ପାଖକୁ ପଠାଯିବ।
ବାହାରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିବାକୁ ଚାହୁଁଥିଲେ ସେମାନଙ୍କୁ ପ୍ରଥମେ ଓଡ଼ିଶା ସରକାରଙ୍କ ନିର୍ଦ୍ଦିଷ୍ଟ ୱେବ୍ସାଇଟ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ପରେ ସେମାନେ ଯେଉଁ ଜିଲ୍ଲାରେ ରହିଛନ୍ତି, ସେଠାରେ ସଂପୃକ୍ତ ଜିଲ୍ଲାପାଳ/ପୁଲିସ୍ କମିସନର୍/ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କୁ ଆବେଦନ କରିବେ। ସେଠାରେ ଯେଉଁ ପାସ୍ ମିଳିବ, ତାହାର ଏକ ନକଲ ଓଡ଼ିଶାର ଯେଉଁ ଜିଲ୍ଲାକୁ ଆସିବେ ସେଠାକାର ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଓଡ଼ିଶା ସୀମାରେ ଥିବା ଚେକ୍ ପଏଣ୍ଟ୍ରେ ସଂପୃକ୍ତ ବ୍ୟକ୍ତିଙ୍କ ପଞ୍ଜୀକରଣ ନମ୍ବର ଯାଞ୍ଚ୍ କରାଯିବ। ଓଡ଼ିଶାରେ ନିଜ ଅଞ୍ଚଳରେ ପହଞ୍ଚିଲା ପରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ସହ ଆସିଥିବା ଅନ୍ୟମାନେ ନିଜ ଘରେ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ। ଓଡ଼ିଶାକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ଗାଇଡ୍ଲାଇନ୍କୁ ସେମାନେ ମାନିବାକୁ ବାଧ୍ୟ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।