ଭୁବନେଶ୍ବର : ରାଜ୍ୟରେ ‘ଓମିକ୍ରନ୍’କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ବହୁସଂଖ୍ୟାରେ ଲୋକମାନେ ଯେପରି ଏକାଠି ନ ହେବେ ସେଥିପାଇଁ ନୂଆବର୍ଷ ପାଇଁ ଗାଇଡଲାଇନ୍ ଆଣିପାରନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର।
ଡା.ମିଶ୍ର କହିଛନ୍ତି ଯେ ସଂକ୍ରମଣ ସ୍ଥିତି ଦେଖି କଟକଣା କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। ପଜିଟିଭ୍ କିମ୍ବା ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନ୍ ଅନୁଶୀଳନ କରାଯିବ। ଏହାସହ ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ ହେବା ପର୍ଯ୍ୟନ୍ତ ଅଲଗା ରହିବା ଲାଗି ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଦୁଇ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏହି ଦୁଇ ଆକ୍ରାନ୍ତ ବିଦେଶରୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ମାତ୍ର ଏବେ ପୁଣିଥରେ ସେମାନଙ୍କ ସଂପର୍କୀୟଙ୍କ ନମୁନା ସଂଗ୍ରହ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହାସହ ରାଜଧାନୀରେ ଦିନକୁ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ବିଏମ୍ସି ପକ୍ଷରୁ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଉଛି। ଆଗୁଆ ପଦକ୍ଷେପ ସ୍ବରୂପ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି।