ବିଦ୍ୟାଳୟ ଖୋଲିବା ପାଇଁ ମାର୍ଗଦର୍ଶିକା

ପ୍ରଥମ ଦୁଇ ଦିନ ପାଠ ପଢ଼ା ହେବନି, ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ଖାଦ୍ୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା‌ ୨୧ରେ ଏକାଦଶ ଏବଂ ୨୫ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଅଷ୍ଟମ ଶ୍ରେଣୀ ପିଲାଙ୍କର ସକାଳ ୯ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ହେଲେ ଦୀର୍ଘ ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ କିପରି ପିଲାଙ୍କୁ ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ୍ ୨୪ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସି ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠପଢ଼ା ନେଇ ଆଲୋଚନା କରିବାକୁ କୁହାଯାଇଛି। ଏହାସହ ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ଖୋଲିବା ପୂର୍ବଦିନ ପରିଚ୍ଛନ୍ନତା ଉପରେ ସବିଶେଷ ତଥ୍ୟ ଡିଇଓମାନଙ୍କୁ ଦେବେ। ସ୍କୁଲ ଖୋଲିବାର ପ୍ରଥମ ଦୁଇଦିନ ଅର୍ଥାତ୍ ୨୫ ଓ ୨୬ରେ ସ୍କୁଲରେ ପାଠପଢ଼ା ହେବନି। ୧୮ମାସ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ଉଚିତ୍‌ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ। ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତ ଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍ ସମୟ କିପରି ବିତାଇଲେ ତା’ ଉପରେ ଆଲୋଚନା କରିବେ। ପିଲାମାନଙ୍କୁ ବିଦ୍ୟାଳୟରେ ମୁକ୍ତ ଭାବେ ବୁଲିବାକୁ ଛାଡ଼ିବେ, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବେ। ବିଦ୍ୟାଳୟରେ ଯେପରି ଏକ ଭୟମୁକ୍ତ ବାତାବରଣ ସୃଷ୍ଟି ହେବ ତାହାକୁ ଶିକ୍ଷକମାନେ ଗୁରୁତ୍ବ ଦେବେ। ଛାତ୍ରଛାତ୍ରୀ ସପ୍ତମ ଶ୍ରେଣୀର ପାଠ ପଢ଼ିନଥିବାରୁ ତିନି ଦିନ ସେମାନଙ୍କର ଶିକ୍ଷଣ ସ୍ତରର ଆକଳନ କରାଯିବ। ୨୭ରେ ଓଡ଼ିଆ, ୨୮ରେ ଗଣିତ, ୨୯ରେ ଇଂରାଜୀ ବିଷୟରେ ପରୀକ୍ଷା ହେବ। ଘଣ୍ଟାକର ଏହି ପରୀକ୍ଷା ପାଇଁ ଓସେପା ଓ ଏସ୍‌ସିଇଅାର୍‌ଟି ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ଯେଉଁ ପିଲାମାନେ ସ୍କୁଲ ଆସିନଥିବେ ସେମାନଙ୍କ ଘରେ ପ୍ରଶ୍ନ ପତ୍ର ପହଞ୍ଚାଯିବ। ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ। ପରେ ଏହାର ବିଶ୍ଲେଷଣ କରାଯିବ। ଉତ୍ତର ଖାତା ମୂଲ୍ୟାୟନ ସରିବା ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା ବ୍ୟବସ୍ଥା କରାଯିବ। ନଭେମ୍ବର ୧୨ରେ ଏନ୍‌ଏଏସ୍‌ ପରୀକ୍ଷା ହେବାକୁ ଥିବାରୁ ଅଷ୍ଟମ ଓ ଦଶମ ଶ୍ରେଣୀର ପିଲାମାନେ ଏନ୍‌ଏଏସ୍‌ ସାମ୍ପୁଲ୍ ପ୍ରଶ୍ନପତ୍ର ଅଭ୍ୟାସ କରିବେ। ସବୁ ପିଲା ଯେପରି ସ୍କୁଲ ଆସିବେ ସେଥିପାଇଁ ଅଭିଭାବକମାନଙ୍କୁ ବୁଝାଇବେ। ପ୍ରଧାନଶିକ୍ଷକମାନେ ସ୍କୁଲ ପାଠପଢ଼ା ଶେଷ ହେବା ପରେ ୩୦ମିନିଟର ଏକ ବୈଠକ କରି କ’ଣ ପଢ଼ା ହେଲା, ଆସନ୍ତାକାଲି କ’ଣ ପଢ଼ା ହେବ ‌ତାହା ଉପରେ ଆଲୋଚନା କରି ଯୋଜନା କରିବେ।

ସେହିପରି କୌଣସି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଥଣ୍ଡା ବା କଫ ଜନିତ ରୋଗ ଥିବ ତେବେ ସେମାନେ ସ୍କୁଲ ଆସିବେନି। ସ୍କୁଲ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ସ୍କୁଲ ଖୋଲା ହେଲେ ବି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବନି। ଏହା ବଦଳରେ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର