ଯୁକ୍ତ୨ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ବର: ଯୁକ୍ତ୨ କଳା‌, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଜାରି ରହିଛି। ଆଉ ପ୍ରାୟ ୧୩ ଦିନ ପରୀକ୍ଷା ଥିବା ବେଳେ କରୋନା ଭୂତାଣୁକୁ ନେଇ ‌ପରୀକ୍ଷାର୍ଥୀ ଓ ଅଧ୍ୟାପକଙ୍କ ମଧ୍ୟ ଭୟ ଦେଖାଦେଇଛି। ପରୀକ୍ଷା ହେବ କି ନାହିଁ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏଭଳି ସମୟରେ ପରୀକ୍ଷା ପରିଚାଳନା କରୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ପରୀକ୍ଷା ହଲ୍‌କୁ ଯିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ବିଶଦ ଭାବେ କୁହାଯାଇଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋଟିଏ ବେଞ୍ଚରେ ଦୁଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୂରତା ରକ୍ଷା କରାଯିବ। ଯେତେଦୂର ସମ୍ଭବ ସିସିଟିଭି କ୍ୟାମେରା ଭିତରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ରଖିବେ। ଯଦି କୌଣସି ପରୀକ୍ଷାର୍ଥୀଙ୍କର ଥଣ୍ଡା, ଜ୍ବର, କାଶ ହେଉଥିବ ସେ ପ୍ରଥମେ ମେଡିକାଲ ଚେକ୍‌ କରିବେ ଏବଂ ମାସ୍କ ପିନ୍ଧି‌ବେ। ଜ୍ବର, କାଶ, ଥଣ୍ଡା ହୋଇଥିବା ପରୀକ୍ଷାର୍ଥୀ ଯେଉଁ ସ୍ଥାନରେ ବସିବେ ସେଠାରୁ ଏକ ମିଟର ଦୂରତାରେ ଅନ୍ୟ ପରୀକ୍ଷାର୍ଥୀଙ୍କୁ ବସିବାକୁ ଅନୁମତି ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରାଯିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ସାନିଟାଇଜର କିମ୍ବା ହାଣ୍ଡୱାସ୍‌ରେ ହାତକୁ ଭଲ ଭାବେ ଧୋଇବେ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସଚେତନ କରିବା ପାଇଁ ପରୀକ୍ଷା କେନ୍ଦ୍ର ନୋଟିସ୍‌ ବୋର୍ଡରେ କରୋନା ସମ୍ପର୍କରେ ସଚେତନତା ବାର୍ତା ଥିବା ଲିଫ୍‌ଲେଟ୍‌ ଲଗାଯିବ। ଏହାବ୍ୟତୀତ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି ପରୀକ୍ଷାର୍ଥୀ ସାବୁନ୍‌ ଓ ସାନିଟାଇଜରରେ ନିୟମିତ ହାତ ଧୋଇବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାକୁ ପାଳନ କରିବା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଯୁକ୍ତ୩ ଓ ଯୁକ୍ତ୨ ମୂଲ୍ୟାୟନ ସ୍ଥଗିତ ରଖିବାକୁ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ-କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର