ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କଲା ସ୍ବାସ୍ଥ୍ୟ ବିଭାଗ : କୋଭିଡ୍‌ ରୋଗୀଙ୍କ ପାଇଁ ୧୦% ଶଯ୍ୟା ସଂରକ୍ଷିତ ରଖ

ଭୁବନେଶ୍ବର : ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ଏଣିକି ନିଜର ୧୦ ପ୍ରତିଶତ ଶଯ୍ୟା କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବେ। ସଂରକ୍ଷିତ ଶଯ୍ୟାରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ଶଯ୍ୟା ଓ ଭେଣ୍ଟି‌‌ଲେଟର୍‌ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଫଳରେ ଘରୋଇ ହସ୍ପିଟାଲଗୁଡ଼ିକରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କୁ ସରକାରୀ ଚିକିତ୍ସା ବ୍ୟବସ୍ଥାକୁ ପଠାଇବାକୁ ପଡ଼ିବ ନାହିଁ। ଇଚ୍ଛୁକ ହସ୍ପିଟାଲଗୁଡ଼ିକ ଆବଶ୍ୟକ ପଡ଼ିଲେ, ସଂପୂର୍ଣ୍ଣ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରିବା ଲାଗି ପ୍ରସ୍ତୁତ ରହିବା ଦରକାର। ତେବେ ସଂପୃକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଇଚ୍ଛୁକ ରୋଗୀଙ୍କ ଆବଶ୍ୟକ ଖର୍ଚ ନିଜେ ବହନ କରିବାକୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଫିଭର କ୍ଲିନିକ୍‌ ସହିତ ଆଇସୋଲେସନ୍‌ ସୁବିଧା ରଖିବା ଜରୁରୀ। ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଚାହୁଥିବା ରୋଗୀ ନିଜର ସ୍ବାସ୍ଥ୍ୟବୀମା କିମ୍ବା ନିଜ ଖର୍ଚରେ ଚିକିତ୍ସା ହୋଇପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ। ତେବେ ହସ୍ପିଟାଲଗୁଡ଼ିକ ରୋଗୀମାନଙ୍କଠାରୁ ସୁହାଇବା ଭଳି ଦର ଧାର୍ଯ୍ୟ କରିବା ପାଇଁ କୁହାଯାଇଛି। ଯଦି କୌଣସି ହସ୍ପିଟାଲ ରୋଗୀଙ୍କଠାରୁ ମାତ୍ରାଧକ ଚିକିତ୍ସା ଖର୍ଚ ନେଉଥିବା ନଜରକୁ ଆସିବ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଏକାଥରକେ ବିଲ୍‌ ନ ଦେଇ ପ୍ରତ୍ୟେକ ଦିନ ବିଲ୍‌ ସଂଗ୍ରହ କରିବା ଲାଗି ବ୍ୟବସ୍ଥା କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଦର ଅନୁଯାୟୀ ରୋଗୀମାନଙ୍କ ପରୀକ୍ଷା ବାବଦ ଖର୍ଚ ନେବା ଲାଗି କୁହାଯାଇଛି। ସେହିପରି ସଂପୃକ୍ତ ସ୍ବାସ୍ଥ୍ୟାନୁଷ୍ଠାନମାନେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳଜୟ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ, ରୋଗୀମାନଙ୍କ ଚିକିତ୍ସା କରିବେ।

ଆବଶ୍ୟକ ପରିମାଣର ଅକ୍ସିଜେନ୍, ପିପିଇ, ସାନିଟାଇଜର୍‌ ଇତ୍ୟାଦି ହସ୍ପିଟାଲରେ ମହଜୁଦ ରଖିବା ଦରକାର। ରୋଗୀଙ୍କ ତଥ୍ୟ ଧାର୍ଯ୍ୟ ପୋର୍ଟାଲରେ ଅପଲୋଡ୍‌ କରିବା ସହ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ସଂପର୍କିତ ସମସ୍ତ ତଥ୍ୟ, କିଭଳି ଚିକିତ୍ସା କରାଯାଉଛି, ଶଯ୍ୟାର ସ୍ଥିତି ଓ ଚିକିତ୍ସା ବାବଦ ଖର୍ଚ ନିୟମିତ ଭାବେ ସରକାରଙ୍କୁ ଜଣାଇବାକୁ କୁହାଯାଇଛି। ନମୁନା ରି ପୋର୍ଟ ତଥ୍ୟ ରୋଗୀଙ୍କୁ ପ୍ରଦାନ କରିବା ସହ ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ଆଟେଣ୍ଡାଣ୍ଟ ରହିବା ଭଳି ବ୍ୟବସ୍ଥା କରିବେ। ହସ୍ପିଟାଲର ହେଲ୍‌ପ ଡେସ୍କର କର୍ମଚାରୀ ଟେଲିଫୋନ୍ କିମ୍ବା ନିଜେ ଉପସ୍ଥିତି ରହି ରୋଗୀଙ୍କ ସ୍ଥିତି ବିଷୟରେ ପରିବାର ଲୋକଙ୍କୁ ନିୟମିତ ସୂଚନା ଦେବେ। ସେହିପରି ରୋଗୀ ଚିକିତ୍ସା ହେଉଥିବା ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ସଂପୃକ୍ତ ଫୁଟେଜ୍‌କୁ ସ୍କ୍ରିନିଂ କରିବାରେ ସହଜ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର