ଖୁବଶୀଘ୍ର ମିଠା ବ୍ୟବସାୟୀଙ୍କ ପାଇଁ ଜାରି ହେବ ନିର୍ଦେଶାବଳୀ

ମିଠା ବ୍ୟବସାୟୀଙ୍କ ସହ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ବୈଠକ, ସଂଗୃହୀତ ସୁଗାର ଫ୍ରି ମିଠାରେ ରହିଛି ଚିନି !

ଭୁବନେଶ୍ବର : ରାଜ୍ୟର ସମସ୍ତ ମିଠା ବ୍ୟବସାୟୀଙ୍କ ପାଇଁ ଖୁବଶୀଘ୍ର ଜାରି ହେବ ନିର୍ଦେଶାବଳୀ। ଦୋକାନୀମାନେ ସୁଗାର ଫ୍ରି ମିଠା ବଦଳରେ କମ୍ କ୍ୟାଲୋରିଯୁକ୍ତ ମିଠା ବୋଲି ଉଲ୍ଲେଖ କରିବେ। ଆଜି ମିଠା ବ୍ୟବସାୟୀ ସଂଘ ସହିତ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନଙ୍କ ଆଲୋଚନା ହୋଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ବ୍ୟବସାୟୀ ସଂଘ କିଛିଦିନ ସମୟ ନେଇଥିବା ଜଣାପଡ଼ିଛି।

YouTube

ରାଜଧାନୀର ଏକ ମିଠା ଦୋକାନରେ ବିକ୍ରି ହେଉଥିବା ସୁଗାର ଫ୍ରି ମିଠାକୁ ନେଇ ବିବାଦ ‌ସୃଷ୍ଟି ହୋଇଥିଲା। ସଂପୃକ୍ତ ଦୋକାନର ମିଠାକୁ ରାଜ୍ୟ ନମୁନା ପରୀକ୍ଷାଗାରରେ ପରୀକ୍ଷା ପରେ ତହିଁରେ ସୁଗାର ବା ଚିନି ରହିଥିବା ରିପୋର୍ଟରେ ଜଣାପଡ଼ିଥିଲା। ଫଳରେ ଯେଉଁ ମଧୁମେହ ରୋଗୀମାନେ ସୁଗାର ଫ୍ରି ମିଠା ଭାବି ଏହାକୁ କିଣୁଥିଲେ ସେମାନେ ଦ୍ବନ୍ଦ୍ବରେ ପଡ଼ିଥିଲେ। ତେଣୁ ଏହି ଦ୍ବନ୍ଦ୍ବକୁ ଦୂର କରିବା ଲାଗି ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟ ପକ୍ଷରୁ ରାଜଧାନୀର କିଛି ମିଠା ଦୋ‌କାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ତହିଁରେ ମଧ୍ୟ ସୁଗାର ରହିଥିବା ଜଣାପଡ଼ିଛି। ସଂଗୃହୀନ ନମୁନାରେ ଚିନିର ମାତ୍ରା ୫ ପ୍ରତିଶତରୁ ଅଧିକ ରହିଥିବା କାରଣରୁ ଏହାକୁ ସୁଗାର ଫ୍ରି ମିଠା ବୋଲି କୁହାଯାଇପାରିବ ନାହିଁ। ଏହାକୁ ନେଇ ଆଜି ବ୍ୟବସାୟୀ ସଂଘ ସହ ଖାଦ୍ୟ ନିରାପତ୍ତା କମିସନରଙ୍କ ବୈଠକ ହୋଇଥିଲା। ଏଥିରେ କେଉଁ ମିଠା ସୁଗାର ଫ୍ରି ଭାବେ ପରିଗଣିତ ହେବ ଓ ଦୋକାନୀମାନେ କ’ଣ ଲେଖିବେ ତାହା ଉପରେ ଆଲୋଚନା ହୋଇଥିଲା।

ସୂଚନା ଅନୁସାରେ, ସଂପୂର୍ଣ୍ଣ ସୁଗାର ଫ୍ରି ମିଠା କରିବାକୁ ହେଲେ ପ୍ରତି ୧୦୦ ଗ୍ରାମ୍ ମିଠାରେ ୦.୫ ପ୍ରତିଶତ ସୁଗାର ବା ଚିନି ରହିବା ଆବଶ୍ୟକ। ଏହାସହ କମ୍ ସୁଗାର/ସର୍ବନିମ୍ନ ସୁଗାର/ହେଲ୍‌ଦି ଡାଏଟ୍‌ ମିଠା ପ୍ରଭୃତି ଲେଖିବାକୁ ହେଲେ ପ୍ରତି ୧୦୦ ଗ୍ରାମ୍ ମିଠାରେ ୫ ପ୍ରତିଶତରୁ କମ୍ ଚିନି ରହିବା ଆବଶ୍ୟକ। ତେଣୁ ଏହା ସଂପର୍କରେ ନିର୍ଦେଶାବଳୀରେ ଉଲ୍ଲେଖ କରାଯିବ। ଏହାସହ ମିଠା ଦୋକାନୀମାନଙ୍କୁ ନେଇ ତାଲିମ ଶିବିର ଆୟୋଜନ କରାଯିବ। ପରବର୍ତୀ ସମୟରେ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟ ପକ୍ଷରୁ ନମୁନା ସଂଗ୍ରହ ତାହାର ଯାଞ୍ଚ କରାଯିବ। ଅପରପକ୍ଷରେ ମିଠା ‌ବ୍ୟବସାୟୀମ‌ାନେ ସୁଗାର ଫ୍ରି ମିଠା ବଦଳରେ କମ୍ କ୍ୟାଲୋରିଯୁକ୍ତ/ସର୍ବନିମ୍ନ ସୁଗାର ମିଠା ପ୍ରସ୍ତୁତ ଓ ବିକ୍ରି ନେଇ କିଛିଦିନ ସମୟ ନେଇଥିବା ବୈଠକରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର