ସିବିଏସ୍‌ଇ ଦଶମ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପାଇଁ ନିୟମାବଳୀ ଜାରି, ସ୍କୁଲ୍‌ କର୍ତୃପକ୍ଷ ଦେବେ ମାର୍କ

ମୂଲ୍ୟାୟନ କରିବ ୮ଜଣିଆ କମିଟି
ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ଆଧାରରେ ମୂଲ୍ୟାୟନ
୫ସୁଦ୍ଧା କମିଟି ଗଠନ, ଜୁନ୍‌ ୨୦ରେ ପରୀକ୍ଷା ଫଳ
ପରୀକ୍ଷା ଦେଇ ନଥିବା ପିଲାଙ୍କ ପାଇଁ ହେବ ଆସେସ୍‌ମେଣ୍ଟ

ଭୁବ‌ନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦଶମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍କୁଲ କର୍ତ୍ତୃପକ୍ଷ ପ୍ରକାଶ କରିବେ। କେଉଁ ଆଧାରରେ ଓ କିଭଳି ଫଳ ପ୍ରକାଶ କରାଯିବ, ସେନେଇ ସିବିଏସ୍‌ଇ ପକ୍ଷରୁ ନି‌ୟମାବଳୀ ଜାରି ହୋଇଛି। ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଆଧାରରେ ହିଁ ପିଲାଙ୍କୁ ମାର୍କ ମିଳିବ। ପରୀକ୍ଷାର୍ଥୀଙ୍କୁ ମାର୍କ ଦେବା ଲାଗି ଏକ ୮ଜଣିଆ କମିଟି ଗଠନ କରାଯିବ। ସ୍କୁଲର ଅଧ୍ୟକ୍ଷ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଆଉ ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କମିଟିର ସଦସ୍ୟ ରହିବେ। ଉକ୍ତ ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୫ଜଣ ସମ୍ପୃକ୍ତ ସ୍କୁଲର ହୋଇଥିବେ। ସେମାନେ ଗଣିତ, ସୋସିଆଲ ସାଇନ୍ସ, ସାଇନ୍ସ ଓ ଦୁଇଟି ଭାଷା(ଲାଙ୍ଗୁଏଜ୍‌) ବିଷୟରେ ଶିକ୍ଷା ପ୍ରଦାନ କରୁଥି‌ବେ। ନିକଟସ୍ଥ ସ୍କୁଲର ଦୁଇଜଣ ଶିକ୍ଷକ କମିଟିର ଏକ୍ସଟରନାଲ ସଦସ୍ୟ ଭାବେ କମିଟିରେ ସ୍ଥାନ ପାଇବେ। ଯେଉଁ ଶିକ୍ଷକମାନେ କମିଟିରେ ରହିବେ, ସେମାନେ ଦଶମ ଶ୍ରେଣୀରେ ପଢ଼ାଉଥିବା ଆବଶ୍ୟକ। ଦୁଇଟି ସ୍କୁଲ ଭିତରେ ଶିକ୍ଷକ ପରିବର୍ତ୍ତନ ହୋଇପାରିବ ନାହିଁ। ଏକ୍ସଟରନାଲ ଶିକ୍ଷକମାନେ ଗୋଟିଏ ମ୍ୟାନେଜ୍‌ମେଣ୍ଟ ଦ୍ବାରା ପରିଚାଳିତ ସ୍କୁଲର ଶିକ୍ଷକ ହୋଇ ନଥିବା ଆବଶ୍ୟକ। ସ୍କୁଲ କିମ୍ବା ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ ହୋଇ ନଥିବେ। ଏମାନଙ୍କ ବ୍ୟତୀତ ସିବିଏସ୍‌ଇ ମଧ୍ୟ ଏହି କମିଟିକୁ ଦୁଇଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରେ। ପରୀକ୍ଷା ଫଳ ପ୍ରସ୍ତୁତିରେ ସ୍ବଚ୍ଛତା ରକ୍ଷା ଦିଗରେ ଏହି କମିଟି କାର୍ଯ୍ୟ କରିବ।

ଆସନ୍ତା ୫ତାରିଖ ସୁଦ୍ଧା ସ୍କୁଲଗୁଡ଼ିକ କମିଟି ଗଠନ କରିବେ ଏବଂ ୧୦ ତାରିଖ ସୁଦ୍ଧା ଡକ୍ୟୁମେଣ୍ଟ ଚୂଡ଼ା‌ନ୍ତ ହେବା ଆବଶ୍ୟକ। ଯଦି କୌଣସି ଆସେସ୍‌ମେଣ୍ଟର ଆବଶ୍ୟକତା ଥାଏ, ୧୫ତାରିଖ ଭିତରେ କରାଯାଇପାରେ। ମାର୍କ ଅପ୍‌ଲୋଡ୍‌ ଲାଗି ୨୦ ତାରିଖରୁ ପୋର୍ଟାଲ ଉପଲବ୍ଧ ହେବ। ୨୫ ତାରିଖ ସୁଦ୍ଧା ସ୍କୁଲ କର୍ତୃପକ୍ଷ ପରୀକ୍ଷା ଫଳ ସ୍ଥିର କରିବେ ଏବଂ ୨୮ ସୁଦ୍ଧା ପୁଣିଥରେ ଯାଞ୍ଚ କରି ପାରିବେ। ଜୁନ୍‌ ୫ ସୁଦ୍ଧା ମାର୍କଗୁଡ଼ିକୁ ସିବିଏସ୍‌ଇ ନିକଟରେ ଦାଖଲ କରିବାକୁ ହେବ। ଜୁନ୍‌ ୧୧ସୁଦ୍ଧା ୨୦ ମାର୍କର ଇଣ୍ଟରନାଲ ଆସେସ୍‌ମେଣ୍ଟ ମାର୍କ ଦାଖଲ ହେବା ଆବଶ୍ୟକ। ଜୁନ୍‌ ୨୦ରେ ପରୀକ୍ଷା ଫଳ ପ୍ରକାଶ କରାଯିବ।

ସିବିଏସ୍ଇ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ପ୍ରତ୍ୟେକ ବିଷୟ ପାଇଁ ଛାତ୍ରଛାତ୍ରୀ ସର୍ବାଧିକ ୧୦୦ ମାର୍କରୁ ମାର୍କ ମିଳିବ। ପୂର୍ବରୁ ପ୍ରଚଳିତ ୨୦ ମାର୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ(ଇଣ୍ଟରନାଲ ଆସେସ୍‌ମେଣ୍ଟ) ଆଧାରରେ ପିଲାଙ୍କୁ ମାର୍କ ମିଳିବ। ବାକି ୮୦ ମାର୍କର ମୂଲ୍ୟାଙ୍କନ ବିଦ୍ୟାଳୟ ଦ୍ବାରା କରାଯିବ। ବର୍ଷକ ମଧ୍ୟରେ ବିଦ୍ୟାଳୟ ଦ୍ବାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀ ରଖିଥିବା ମାର୍କ ଆଧାରରେ ହେବ। ଦଶମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟର ଅତୀତର ପ୍ରଦର୍ଶନ ସହ ମାର୍କଗୁଡ଼ିକ ଅନୁରୂପ ହେବା ଉଚିତ। ୮୦ ମାର୍କ ମଧ୍ୟରୁ ୟୁନିଟ୍‌ ଟେଷ୍ଟରୁ ୧୦ ମାର୍କ, ମିଡ୍‌ଟର୍ମ/ଷାଣ୍ମାସିକ ପରୀକ୍ଷାରୁ ୩୦ ମାର୍କ, ପ୍ରି-ବୋର୍ଡ ପରୀକ୍ଷ‌ାରୁ ୪୦ ମାର୍କ ଏଭଳି ଭାବେ ମୂଲ୍ୟାୟନ କରାଯିବ। ସ୍କୁଲ ପକ୍ଷରୁ ଥରେ ଅପଲୋଡ୍‌ କରାଯିବାକୁ ଥିବା ତଥ୍ୟକୁ ଚୂଡ଼ାନ୍ତ ବୋଲି ଧରାଯିବ। କୌଣସି ପ୍ରକାର ପରିବର୍ତ୍ତନ ହୋଇପାରିବ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରି ନଥିବେ, ତେବେ ସେମାନଙ୍କ ଲାଗି ସ୍କୁଲ କର୍ତ୍ତୃପକ୍ଷ ଯେକୌଣସି ମାଧ୍ୟମ ଯଥା ଅନ୍‌ଲାଇନ୍‌/ଅଫ୍‌ଲାଇନ୍‌ କିମ୍ବା ଟେଲିଫୋନିକ୍‌ରେ ଗୋଟିଏ ଆସେସ୍‌ମେଣ୍ଟ ଉପରେ ପିଲାଙ୍କ ଉତ୍ତର ଗ୍ରହଣ କରି ମାର୍କ ଦେବେ ଏବଂ ତାହାକୁ ସାଇତି ରଖିବେ। ଯଦି କୌଣସି ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ଗୋଟିଏ ବି ଆସେସ୍‌ମେଣ୍ଟରେ ଭାଗ ନେଇ ନଥିବେ, ସେମାନଙ୍କ ପ୍ରୋଜେକ୍ଟ, କୁଇଜ୍‌, ଓରାଲ୍‌ ଟେଷ୍ଟକୁ ବିଚାରକୁ ନେଇପାରିବେ। ଯଦି କୌଣସି ପିଲା ପାସ୍‌ କରିପାରିବେ ନାହିଁ, ତାଙ୍କ ଲାଗି କମ୍ପାଟମେଣ୍ଟ ବ୍ୟବସ୍ଥା ବି ରହିବ। ପରୀକ୍ଷା ଫଳ ପ୍ରକାଶ ପରେ ସ୍କୁଲ କର୍ତୃପକ୍ଷ ସିବିଏସ୍‌ଇ ଦ୍ବାରା ପ୍ରସ୍ତୁତ ଅବଜେକ୍ଟିଭ୍‌ ପ୍ରଶ୍ନପତ୍ରକୁ ନେଇ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ ଉକ୍ତ ପିଲାଙ୍କ ଲାଗି ପରୀକ୍ଷା କରିପାରିବେ। ଉକ୍ତ ମାର୍କକୁ ସିବିଏସ୍‌ଇ ପୋର୍ଟାଲରେ ଦାଖଲ କରିବାକୁ ହେବ। ଏହି ବ୍ୟବସ୍ଥା କିଭଳି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ସିବିଏସ୍‌ଇ ପକ୍ଷରୁ ଖୁବ୍‌ଶୀଘ୍ର ୱେବିନାର୍‌ କରାଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ୱେବ୍‌ସାଇଟ୍‌ରେ ଉଲ୍ଲେଖ ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର