ପାର୍ବଣ ଋତୁ ପାଇଁ ଗାଇଡ୍‌ଲାଇନ୍: ପୂଜା ହେବ, ଦର୍ଶନ ମନା

୪ଫୁଟରୁ କମ୍‌ ଉଚ୍ଚତାର ମୂର୍ତ୍ତି ହେବ, ମଣ୍ଡପରେ ସର୍ବାଧିକ ୭ଜଣ ରହିବେ

ଭୁବନେଶ୍ବର : ଏଥର ପାର୍ବଣ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ, ମଣ୍ଡପରେ ଦେବା ଦେବୀଙ୍କୁ ପୂଜା କରାଯିବ। ପୂଜା ବିଧି ଯଥା ରୀତିନୀତି କରିବାକୁ ପୂଜା କମିଟିଗୁଡ଼ିକୁ ଅନୁମତି ମିଳିଛି। ହେଲେ ସର୍ବସାଧାରଣ ଲୋକ ମଣ୍ଡପରେ ଦେବାଦେବୀଙ୍କୁ ଦର୍ଶନ କରିପାରିବେନି ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଚଳିତ ମାସରୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାବେଳେ ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ହେବାକୁ ଥିବା ବେଳେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କର ଭିନ୍ନ ଭିନ୍ନ ପୂଜା/ଉତ୍ସବ ହେବ। ଏଥିରେ ବହୁ ଲୋକଙ୍କର ସମାବେଶ ହେବାର ସମ୍ଭାବନା ଅଛି। ଏହାଦ୍ବାରା କରୋନା ସଂକ୍ରମଣ ବଢ଼ିବ। ତେଣୁ ପୂଜାର ବହୁ ପୂର୍ବରୁ ପୂଜା କମିଟି ଗୁଡ଼ିକ ଯେପରି ସେହି ଅନୁଯାୟୀ ପ୍ରସ୍ତୁତି କରିବେ ତାହାକୁ ନଜରରେ ଏସ୍‌ଆର୍‌ସି ଆଗୁଆ ଗାଇଡଲାଇନ୍ ଜାରି କରିଛନ୍ତି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପୂଜା କମିଟି, ସଂଗଠନଗୁଡ଼ିକୁ ମଣ୍ଡପ, ପେଣ୍ଡାଲରେ ପୂଜା କରିବାକୁ ଅନୁମତି ମିଳିଛି। କିନ୍ତୁ ଏଥିପାଇଁ ସେମାନଙ୍କୁ ଭୁବନେଶ୍ବର ଓ କଟକରେ କମିସନରେଟ୍ ପୁଲିସ୍ ଏବଂ ବାକି ରାଜ୍ୟରେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବାକୁ ହେବ। କୌଣସି ଜାକଜମକରେ ପୂଜା ହେବନି। ମଣ୍ଡପର ତିନି ପାର୍ଶ୍ବକୁ ବନ୍ଦ କରାଯିବ। ଯେଉଁ ଗୋଟିଏ ପାର୍ଶ୍ବ ଖୋଲା ରହିବ ସେହି ବାଟେ ଯେପରି କେହି ସର୍ବସାଧାରଣ ଲୋକ ଦର୍ଶନ ପାଇଁ ଯାଇପାରିବେନି ସେ ବ୍ୟବସ୍ଥା କରାଯିବ। ମଣ୍ଡପରେ ପୂଜା ପାଇବାକୁ ଥିବା ମୃଣ୍ମୟୀ ମୂର୍ତ୍ତିଙ୍କ ଉଚ୍ଚତା ୪ ଫୁଟ କିମ୍ବା ଏହାଠାରୁ କମ୍‌ ରହିବ। ପୂଜା ମଣ୍ଡପରେ ଏକ ସମୟରେ ସର୍ବା‌ଧିକ ୭ଜଣ ଉପସ୍ଥିତି ରହିବେ। ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ। ସମସ୍ତେ କୋଭିଡ କଟକଣା ମାନି‌ବେ।

ସେହିପରି ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଦ୍ୟଯନ୍ତ୍ର ବାଜିବନି। କେବଳ କୃତ୍ରିମ ପୋଖରୀରେ ନେଇ ମୂର୍ତ୍ତିକୁ ବିସର୍ଜନ କରାଯିବ। ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରିବାକୁ ଅନୁମତି କରିବାକୁ ଅନୁମତି ଦିଆଯାଇଛି। ହେଲେ ଭୋଜିଭାତ ହେବନି।

ରାଜ୍ୟ ସରକାରଙ୍କ କୋଭିଡ କଟକଣା ଯେପରି କଡ଼ାକଡ଼ି ପାଳନ ହେବ ତାହାକୁ ଜିଲ୍ଲା ପ୍ରଶାସନ, କମିସନରେଟ୍ ପୁଲିସ, ବିଏମ୍‌ସି ଓ ସିଏମ୍‌ସି ନିଶ୍ଚିତ କରିବେ ବୋଲି କୁହାଯାଇଛି।

ସେହିପରି ଚର୍ଚ୍ଚ, ମସଜିଦ୍ ଏବଂ ଅନ୍ୟାନ୍ୟ ପୂଜା ସ୍ଥାନରେ କୋଭିଡ କଟକଣା ସହ ସୀମିତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଛି।

ଯିଏ ନିୟମ ନମାନିବେ ତାଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ନିୟମ, ୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର