କଟକ : ଡେମୋନଷ୍ଟ୍ରେଟର୍ଙ୍କୁ ୟୁଜିସି ନିୟମାବଳି ଆଧାରରେ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରସଙ୍ଗରେ ବିଚାର କରି ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ ଡେମୋନଷ୍ଟ୍ରେଟର୍ଙ୍କ କ୍ଷେତ୍ରରେ ‘ୟୁଜିସି ସ୍କେଲ୍ ଅଫ୍ ପେ’ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ପ୍ରସଙ୍ଗକୁ ମାମଲାର ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମାନ ପରିସ୍ଥିତିରେ ଥିବା ଖଲିକୋଟ କଲେଜରେ କାର୍ଯ୍ୟରତ ଡେମୋନଷ୍ଟ୍ରେଟର୍ଙ୍କ କ୍ଷେତ୍ରରେ ‘ୟୁଜିସି ସ୍କେଲ୍ ଅଫ୍ ପେ’ ଲାଗୁ ପ୍ରସଂଗରେ ବିଚାର କରି ପଦକ୍ଷେପ ନେବାକୁ ଅଦାଲତ ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ବି.ପି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.କେ. ପଣ୍ଡା ଓ ଅନ୍ୟମାନଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଆବେଦନକାରୀ ପ୍ରଥମେ ଲାବୋରେଟୋରି ଆସିଷ୍ଟାଣ୍ଟ ପଦରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ୧୯୮୫ର ଏହି ପଦବି ଡେମୋନଷ୍ଟ୍ରେଟର୍କୁ ପରିବର୍ତ୍ତିତ ହୋଇଥିଲା। ଶିକ୍ଷା ପ୍ରଦାନ କରୁଥିବା କର୍ମଚାରୀ ଭାବେ ଡେମୋନଷ୍ଟ୍ରେଟର୍ ପଦକୁ ମଧ୍ୟ ସ୍ବୀକୃତି ମିଳିଥିଲା। ଏହାପରେ ଅଧ୍ୟାପକଙ୍କ ଭଳି ଡେମୋନଷ୍ଟ୍ରେଟର୍ଙ୍କ କ୍ଷେତ୍ରରେ ମଧ୍ୟ ୟୁଜିସି ନିୟମାବଳୀ ଲାଗୁ ପାଇଁ ବାଟ ଖୋଲିଥିଲା। ଏ ନେଇ ଅଦାଲତରେ ମାମଲା ପହଞ୍ଚିଥିଲା। ଏହାର ବିଚାର କରି ଅଦାଲତ ୧୯୮୫ରୁ ଡେମୋନଷ୍ଟ୍ରେଟର୍ଙ୍କୁ ୟୁଜିସି ନିୟମାବଳୀ ଅନୁସାରେ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏବେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ଡେମୋନଷ୍ଟ୍ରେଟର୍ଙ୍କୁ ୟୁଜିସି ନିୟମ ଅନୁସାରେ ସଂଶୋଧିତ ପ୍ରାପ୍ୟର ସୁବିଧା ମିଳିବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/ugc.jpg)