ବିବାହ, ସଭାରେ ୫୦୦ ଲୋକଙ୍କୁ ଅନୁମତି

୧ରୁ ଖୋଲିବ ଅଙ୍ଗନବାଡ଼ି, ଫେବ୍ରୁଆରି ମାସ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ବର : ବିବାହ, ବ୍ରତଘର, ଅନ୍ତ୍ୟେଷ୍ଟି କ୍ରିୟା ଆଦି ପାଇଁ ଆଉ ୨୦୦ ଲୋକଙ୍କ ପ୍ରତିବନ୍ଧକ ରହିବନି। ଏଣିକି ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳିବ। ସେହିପରି ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୫୦୦ ଲୋକଙ୍କୁ ଅନୁମତି ମିଳିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଫେବ୍ରୁଆରି ୧ ତାରିଖରୁ ଖୋଲିବ।

ଏମିତି କିଛି କଟକଣାକୁ କୋହଳ କରି ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଫେବ୍ରୁଆରି ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି ହୋଇଛି। କୌଣସି ହଲ୍‌ରେ ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ କଲେ ହଲ୍‌ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ, ସେହି ସ୍ଥାନର ଆକାର ଦେଖି ଲୋକଙ୍କୁ ଅନୁମତି ଦିଆଯିବ। ଏହି ସଂଖ୍ୟା କୌଣସି ପରିସ୍ଥିତିରେ ୫୦୦ରୁ ଅଧିକ ହେବ ନାହିଁ। ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଠାରୁ ଅନୁମତି ବାଧ୍ୟତାମୂଳକ କରାଯାଇଛି।

ସମାନ ନିୟମ କରାଯାଇଛି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ। କୌଣସି ହଲ୍‌ରେ କାର୍ଯ୍ୟକ୍ରମ କଲା ବେଳେ ସେଠାରେ ହଲ୍‌ କ୍ଷମତାର ୫୦%ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କିନ୍ତୁ ଏହି ସଂଖ୍ୟା ସର୍ବାଧିକ ୫୦୦ ରହିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କଲା ବେଳେ ସେହି ସ୍ଥାନର ଆକାର ଦେଖି ଲୋକ ସଂଖ୍ୟାକୁ ଅନୁମତି ଦିଆଯିବ। ତାହା ମଧ୍ୟ ୫୦୦ ଭିତରେ। ଏଥିପାଇଁ ମଧ୍ୟ ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ। ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୂଆ ଆଦିକୁ କଡ଼ାକଡ଼ି ପାଳନ କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି।

କୋଭିଡ୍‌ ଲକ୍‌ଡାଉନ୍ ଆରମ୍ଭ ହେବା ସମୟରେ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। ଫେବ୍ରୁଆରି ୧ରୁ ଏହି କେନ୍ଦ୍ରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଏସ୍‌ଆର୍‌ସିଙ୍କ ଠାରୁ ଅନୁମତି ମିଳିଲା ପରେ ଆଇସିଡିଏସ୍‌ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ସମ୍ପର୍କରେ ଏକ ସାନି ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସକାଳ ୯ଟାରୁ ୧୧ଟା ଦୁଇ ଘଣ୍ଟା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ପୂର୍ବ ପରି କେନ୍ଦ୍ର ବନ୍ଦ ରହିବ। କୋଭିଡ୍‌ ପାଇଁ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ପ୍ରାଥମିକ ସ୍କୁଲ୍‌ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରିବାକୁ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ତାହା ପରେ ସରକାରଙ୍କ ଅନୁମତି ନେଇ ସ୍କୁଲ୍‌‌ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯିବ। ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ନେବେ।

୫୦% ଦର୍ଶକଙ୍କୁ ନେଇ ରାଜ୍ୟର ସିନେମା ହଲ୍‌ଗୁଡ଼ିକ ପୂର୍ବ ପରି ଚାଲୁ ରହିବ। ଧାର୍ମିକ ଅନୁଷ୍ଠାନଗୁଡ଼ିକ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ନିଷ୍ପତ୍ତି ନେବେ। ପ୍ରଦର୍ଶନୀ ହଲ୍‌ଗୁଡ଼ିକରେ କୋଭିଡ୍‌ କଟକଣା ଭିତରେ ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ ଓ ବିଜ୍‌ନେସ୍‌ ଟୁ କଞ୍ଜ୍ୟୁମର୍‌ କାର୍ଯ୍ୟକ୍ରମ ହୋଇପାରିବ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ପରିସରରେ ଲକ୍‌ଡାଉନ୍ କଟକଣା ଜାରି ରହିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଅର୍ଥାତ ଜିଲ୍ଲା, ସବ୍‌ଡିଭିଜନ୍‌, ଗ୍ରାମୀଣ ଓ ସହର ସ୍ତରରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‌ଡାଉନ୍ କରିପାରିବେ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ମିଳିବ। ଆନ୍ତଃରାଜ୍ୟ ସାମଗ୍ରୀ ଓ ଯାତ୍ରୀ ପରିବହନ ପୂର୍ବ ପରି ବିନା ବାଧାରେ ଚାଲିବ। ବିମାନ ଓ ରେଳ ସେବା ପୂର୍ବର ଗାଇଡ୍‌ଲାଇନ୍ ଅନୁଯାୟୀ ଜାରି ରହିବ। ଫେବ୍ରୁଆରି ୨୮ ଯାଏ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିବ।

ସମ୍ବନ୍ଧିତ ଖବର