ୟୁ-ଟ୍ୟୁବ୍‌ ପାଠପଢ଼ା ପାଇଁ ଗାଇଡ୍‌ଲାଇନ୍‌: ଦିନକୁ ୪ଟି ପିରିୟଡ୍‌

ଦିନ ୧୦ଟା ୪୫ରୁ ଗୋଟାଏ ଯାଏ କ୍ଲାସ, କେବଳ ନବମ ଓ ଦଶମ ପିଲା ପଢ଼ିବେ

ଭୁବନେଶ୍ବର : କରୋନା ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷ ପାଠପଢ଼ା ବ୍ୟାହତ ହୋଇଛି। ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରିନାହିଁ। ବିଶେଷ ଗୁରୁତ୍ବ ବହନ କରୁଥିବା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆଗେଇ ପାରୁ ନଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି। ୟୁ-ଟ୍ୟୁବ୍‌ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ ହୋଇଛି। ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ରେ ପାଠପଢ଼ା ଆରମ୍ଭ ହେବ। ତା’ ପୂର୍ବରୁ ୧୩ଟି ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଦୁଇଟି କ୍ଲାସରୁମ୍‌ ପ୍ରସ୍ତୁତି ଚାଲିଛି।

ଅନ୍ୟପକ୍ଷରେ ୟୁ-ଟ୍ୟୁବ୍‌ ପାଠପଢ଼ା ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ପାଠପଢ଼ାର ରୂପରେଖ କ’ଣ ରହିବ, ସେନେଇ ବିଶଦ୍‌ ଭାବେ ବର୍ଣ୍ଣନା କରାଯାଇଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ୪୫ରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ଚାଲିବ। ଦିନକୁ ୪ଟି ପିରିୟଡ୍‌ ହେବ ଏବଂ ପ୍ରତି ପରିୟଡ୍‌ର ଅବଧି ୩୦ ମିନିଟ୍‌ ରହିବ। ଶନିବାର କ୍ଲାସ ହେବନି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସପ୍ତାହକୁ ବିଷୟ ପିଛା ଅତି ବେଶିରେ ୨୦ଟି ପିରିୟଡ୍‌ ହେବ। ଜୁନ୍‌ ଓ ଜୁଲାଇ ମାସରେ କେଉଁ ଦିନ କେଉଁ ବିଷୟର କ୍ଲାସ ହେବ ସେନେଇ ରୁଟିନ୍‌ ପ୍ରସ୍ତୁତ କରାଯାଇଛି। ଯେଉଁ ଶିକ୍ଷକମାନେ ୟୁ-ଟ୍ୟୁବ୍‌ରେ ପଢ଼ାଇବେ, ତାହାକୁ ଅନୁଧ୍ୟାନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାଧ୍ୟମିକ ଶିକ୍ଷା‌ ନିର୍ଦ୍ଦେଶାଳୟ ପକ୍ଷରୁ ନିୟୋଜିତ ବ୍ୟକ୍ତିବିଶେଷ ଭିଡିଓ ଦେଖି ମତାମତ ‌ରଖିବେ। ଫଳରେ ପରବର୍ତ୍ତୀ ସମୟରେ ଲାଇଭ୍‌ ଷ୍ଟ୍ରିମିଂରେ ରହୁଥିବା ତ୍ରୁଟିରେ ସୁଧାର ଅଣାଯାଇପାରିବ।

ଶିକ୍ଷକମାନେ ୟୁ-ଟ୍ୟୁବରେ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବେ। ଲାଇଭ୍‌ ଚାଟ୍‌ ମାଧ୍ୟମରେ ପିଲାମାନେ ପଚାରିଥିବା ପ୍ରଶ୍ନର ଉତ୍ତର ପରବର୍ତ୍ତୀ କ୍ଲାସରେ ଶିକ୍ଷକମାନେ ପ୍ରଦାନ କରିବେ। ୟୁ-ଟ୍ୟୁବ୍‌ରେ ଯେଉଁ ବିଷୟ ପଢ଼ାଯିବ, ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ବନ୍ଦ୍ବକୁ ଚାଟ୍‌ ଓ ଭଏସ୍‌ କଲ୍‌ ମାଧ୍ୟମରେ ଦୂର କରିବେ। କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢ଼ିଲେ, ସ୍କୁଲ ଶିକ୍ଷକ ତାହାର ତଥ୍ୟ ରଖିବେ। ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ବାଟସପ୍‌ରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ। ସେଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ। ସ୍କୁଲଗୁଡ଼ିକ ନିଜସ୍ତରରେ ଅନ୍‌ଲାଇନ୍‌ କ୍ଲାସ କରି ପିଲାଙ୍କ ଦ୍ବନ୍ଦ୍ବ ଦୂର କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର