ଭୁବନେଶ୍ବର : ଆସନ୍ତା ୨୫ ତାରିଖରୁ ଆଗଷ୍ଟ ୮ ପର୍ଯ୍ୟନ୍ତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ଚାଲିବା ପର୍ଯ୍ୟନ୍ତ ବିଭାଗୀୟ ସଚିବମାନେ ଉପସ୍ଥିତ ରହିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧାନସଭା ସମ୍ପର୍କିତ ସମସ୍ତ କାର୍ଯ୍ୟ, ପ୍ରଶ୍ନୋତ୍ତର ଓ ତଥ୍ୟ ଯେପରି ଠିକ୍ ସମୟରେ ପ୍ରଦାନ କରାଯାଇ ପାରିବ ସେଥିପାଇଁ ସଚିବମାନେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ତେଣୁ ଏହି ସମୟରେ ବିଭାଗୀୟ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବା ସହ ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଚିବମାନଙ୍କ ଗସ୍ତ ନେଇ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲେ ବି ତାହାକୁ ଘୁଞ୍ଚାଇ ଦିଆଯିବ। ଏହା ସହିତ ସଦରମହକୁମା କିମ୍ବା ସଚିବାଳୟସ୍ତରରେ ସଭା ମଧ୍ୟ ଆୟୋଜନ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ସଭା ବଦଳରେ ଭିଡିଓ କନ୍ଫରେନ୍ସିଂର ସହାୟତା ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ବିଧାନସଭା ଚାଲୁଥିବା ସମୟରେ ବିଧାୟକମାନେ ଅଧ୍ୟକ୍ଷ ଥିବା କମିଟି କିମ୍ବା ସଦସ୍ୟ ଥିବା ବୋର୍ଡର ସଭା ଏହି ସମୟ ମଧ୍ୟରେ ଆହୂତ ନ କରିବାକୁ ଅଧସ୍ତନ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏହାସହ ଅଧିବେଶନ ଚାଲୁଥିବା ସମୟରେ ପ୍ରକାଶିତ ପ୍ରମୁଖ ଖବରଗୁଡ଼ିକୁ ଅନୁଧ୍ୟାନ କରାଯାଇ ସଠିକ୍ ସ୍ଥିତାବସ୍ଥାର ବିବରଣୀ ଓ ତାହାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Orissa-Assembly-02-1.jpg)