ଭୁବନେଶ୍ବର : ଶୀତଳଭଣ୍ଡାର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତୀକରଣ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କୃଷି ଭବନରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣରେ ଉନ୍ନତି ଆଣିବା ସଂପର୍କରେ ଆୟୋଜିତ ବୈଠକରେ କୃଷିମନ୍ତ୍ରୀ ଏହାର ସଦ୍ୟତମ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ଶୀତଳଭଣ୍ଡାର ନିର୍ମାଣ ଓ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଆବଶ୍ୟକ ପ୍ରସ୍ତାବ ଦେବା ପାଇଁ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା।
କମିଟିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ରହିବେ। ଉକ୍ତ କମିଟି ରାଜ୍ୟର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଶୀତଳଭଣ୍ଡାର ଏବଂ କୋଲଡ୍ରୁମ୍ ଆଦିର ସ୍ଥିତି ଅନୁଧ୍ୟାନ କରି ଏ ଦିଗରେ ଆବଶ୍ୟକୀୟ ରିପୋର୍ଟ କରିବ। ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ହେଉଥିବା କୃଷି ସାମଗ୍ରୀ, ଆଳୁ, ପିଆଜ, ପନିପରିବା, ଫଳ ଇତ୍ୟାଦିର ସଂରକ୍ଷଣ ପାଇଁ ଉକ୍ତ ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଅଗ୍ରାଧିକାର ପ୍ରଦାନ କରାଯିବ। କୃଷି ଉତ୍ପାଦନ ପୁଞ୍ଜ ଥିବା ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ଶୀତଳ ଭଣ୍ଡାର ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ଷେତ୍ର ପ୍ରଦର୍ଶନୀର ଆୟୋଜନ ହେବ। ପୂର୍ବରୁ ଶୀତଳଭଣ୍ଡାର ଥିବା ଅଞ୍ଚଳରେ କୃଷି ଉତ୍ପାଦନ ପୁଞ୍ଜ ପ୍ରତିଷ୍ଠା ଓ କ୍ଷେତ୍ର ପ୍ରଦର୍ଶନୀକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଅପରପକ୍ଷରେ କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ଆଳୁଚାଷକୁ ବ୍ୟାପକ କରାଯାଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଅଞ୍ଚଳରେ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ସମବାୟ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସମନ୍ୱିତ ପ୍ୟାକ୍ ହାଉସ୍କୁ କୃଷକ ଉତ୍ପାଦକ ଗୋଷ୍ଠୀ କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପରିଚାଳନା ଭାର ନ୍ୟସ୍ତ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ସମସ୍ତ ଶୀତଳଭଣ୍ଡାର, ଶୀତଳ ଚ୍ୟାମ୍ବର ଏବଂ ଇଣ୍ଟିଗ୍ରେଟେଡ୍ ପ୍ୟାକ୍ ହାଉସ୍ଗୁଡ଼ିକର ସମନ୍ୱିତ ପରିଚାଳନା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଢ଼ା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଶୀତଳଭଣ୍ଡାରର ପ୍ରତିଷ୍ଠା ଓ ପରିଚାଳନାର ବିଭିନ୍ନ ଦିଗ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।