ଚାଷୀଙ୍କ ପାଇଁ ପରାମର୍ଶ ଜାରି : ଅଦିନିଆ ବର୍ଷାରେ ଫସଲ ନଷ୍ଟ ଆଶଙ୍କା

ଭୁବନେଶ୍ୱର : ପୂର୍ବ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ କରକାପାତ ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ସମ୍ପ୍ରସାରଣ ନିର୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଅଧିକ ବର୍ଷା ହେଲେ ବିଲରେ ଥିବା ଡାଳୁଅ ଧାନ, ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ, ବାଇଗଣ, ଲଙ୍କା, ଭେଣ୍ଡି ଇତ୍ୟାଦି ପନିପରିବା ଓ ବିଭିନ୍ନ ଫୁଲଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ଡାଳୁଅ ଧାନ ଅମଳ ସାପେକ୍ଷ ହୋଇଥିଲେ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ।

ଆହୁରି କୁହାଯାଇଛି ଯେ ବର୍ଷାଜଳକୁ ଉପଯୋଗ କରି ଖରାଟିଆ ଚାଷ କରି ଜମି ପ୍ରସ୍ତୁତ କରନ୍ତୁ। ବର୍ଷାଜଳର ସଦୁପଯୋଗ କରି ଖରାଟିଆ ଶାଗ, ନଳିତା ବୁଣାବୁଣି କାର୍ଯ୍ୟ କରନ୍ତୁ। ଚିନାବାଦାମ ଫସଲ ଅମଳ ସାପେକ୍ଷ ହୋଇଥିଲେ ଡେରି ନକରି ଓପାଡ଼ି ଦିଅନ୍ତୁ, ନହେଲେ ମଞ୍ଜି ଗଜା ହୋଇଯିବାର ସମ୍ଭାବନା ରହିଛି। କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ। ପନିପରିବା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକୁ ତୋଳି ବିକ୍ରି କରି ଦିଅନ୍ତୁ। ପିଆଜ ଓ ରସୁଣ ଅମଳ ସାପେକ୍ଷ ହୋଇଯାଇଥିଲେ, ଏହାକୁ ଆଦାୟ କରି ଖେଳେଇ କରି ଶୁଖାନ୍ତୁ। ଝିପିଝିପି ବର୍ଷା ଯୋଗୁଁ ଲଟା ଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃଷୁଙ୍ଗା ହୋଇଯିବାର ସମ୍ଭାବନା ରହିଛି। ତେଣୁ ଠିକ୍ ଭାବରେ ଫସଲ ନିରୀକ୍ଷଣ କରି ଏହାର ନିରାକରଣ ପାଇଁ ଏକର ପ୍ରତି ୪୦ ଗ୍ରାମ୍ ଥାୟୋମେଥୋକ୍‌ଜାମ୍ କିମ୍ବା ୫୦ ମି.ଲି. ଇମିଡାକ୍ଲୋପ୍ରିଡ୍‌ କିମ୍ବା ୫୦ ଗ୍ରାମ୍ ଏସିଟାମିପ୍ରିଡ୍‌କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ବର୍ଷା ପରବର୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରଭୃତି ପନିପରିବାରେ ମୂଳସଢ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧ ଲିଟର ପାଣିରେ ୨ ଗ୍ରାମ୍ ମେଟାଲାକ୍ସିଲ ଓ ମାଙ୍କୋଜେବ୍ ମିଶ୍ରିତ ଔଷଧ ମିଶାଇ ମାଟି ଭିଜା କରନ୍ତୁ। କଖାରୁ ଜାତୀୟ ଫସଲରେ ବର୍ଷା ପରବର୍ତୀ ସମୟରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଦେଖାଦେଇପାରେ। ତେଣୁ ଏହି ରୋଗକୁ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୨ ଗ୍ରାମ୍ ମେଟାଲାକ୍ସିଲ ସହ ମାଙ୍କୋଜେବ୍ ମିଶ୍ରିତ ଔଷଧ କିମ୍ବା ୦.୬ ଗ୍ରାମ୍ ଆଜୋସ୍କିଷ୍ଟ୍ରୋବିନ୍ ସହ ଟେବୁକୋନାଜୋଲ୍ ମିଶ୍ରିତ ଔଷଧ ମିଶାଇ ୧୦ ଦିନ ଅନ୍ତରରେ ୨ରୁ ୩ ଥର ଅଦଳ ବଦଳ କରି ସିଞ୍ଚନ କରନ୍ତୁ। ଝୁଡ଼ଙ୍ଗରେ କଳଙ୍କି ରୋଗ ଦେଖାଯିବା ସମ୍ଭାବନା ରହିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ କ୍ଲୋରୋଥାଲାନିଲ୍ ମିଶାଇ ସିଞ୍ଚନ କରନ୍ତୁ। ଖରିଫ ଫସଲ ପାଇଁ ବିହନ, ସାର ଇତ୍ୟାଦି ସଂଗ୍ରହ କରି ରଖନ୍ତୁ। କୋଭିଡ୍‌-୧୯ ଯୋଗୁଁ ତାଲା ବନ୍ଦ ଅବଧିରେ ବିଭିନ୍ନ କୃଷି କାର୍ଯ୍ୟ ଓ ବିକ୍ରିବଟା କରିବା ସମୟରେ ଅନୁମୋଦିତ ସତର୍କତା ଯଥା ମୁହଁରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର