ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲ୍‌ ସନ୍ଧାନ : ଜିଲୋଟିନ୍‌ ବିସ୍ଫୋରଣରେ ୫୦ କୋଠା କ୍ଷତିଗ୍ରସ୍ତ, ୩୦ ମିନିଟ ପାଇଁ ଥରିଲା ସମଗ୍ର ଅଞ୍ଚଳ

ଭୂକମ୍ପ ସନ୍ଦେହରେ ଲୋକେ ଡରିଲେ, ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ଅଭିଯୋଗ

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଗହରନଗର ବିଲୁଆ ସାହିର ଚାଷ ଜମିରେ ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲ୍‌ ଅନୁସନ୍ଧାନ ପାଇଁ ସର୍ଭେ ହେଉଥିବା ସମୟରେ ଜିଲୋଟିନ୍‌ ବିସ୍ଫୋରଣ ଯୋଗୁଁ ୫୦ରୁ ଅଧିକ ଲୋକଙ୍କର କୋଠାଘର କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏହି ବିସ୍ଫୋରଣ ସମୟରେ ସଂପୃକ୍ତ ଅଂଚଳରେ ଅଧଘଣ୍ଟା ଯାଏ ଭୂମିକମ୍ପର ଭ୍ରମ ସୃଷ୍ଟି ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଯୋଗ୍ୟ ଯେ, ଓଏନ୍‌ଜିସି କଂପାନି ପକ୍ଷରୁ ବିନା ନୋଟିସ୍‌ରେ ବଡ଼ଚଣା ବ୍ଲକ୍‌ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଗହରନଗର ବିଲୁଆ ସାହିର ଚାଷ ଜମିରେ ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲିୟମ୍‌ ପଦାର୍ଥ ପାଇଁ ସର୍ଭେ କରାଯାଇଥିଲା। କଂପାନିର ଅଧିକାରୀମାନେ ଗତ କିଛି ଦିନ ହେବ ସେଠାରେ କ୍ୟାମ୍ପ୍‌ ପକାଇ ଏହି ସର୍ଭେ କରିବା ପରେ ଆଜି ଦିନ ଗୋଟାଏରେ କଂପାନିର ବିଶେଷଜ୍ଞମାନେ ମାଟି ତଳ ପରୀକ୍ଷା ପାଇଁ ଶକ୍ତିଶାଳୀ ଜିଲୋଟିନ୍‌ ଦ୍ୱାରା ସେଠାରେ ଲଗାତର ୮ ଥର ବିସ୍ଫୋରଣ ଘଟାଇଥିଲେ। ଏହି ଶକ୍ତିଶାଳୀ ବିସ୍ଫୋରଣ ସମୟରେ ସଂପୃକ୍ତ ଅଂଚଳରେ ଭୟଙ୍କର ଶବ୍ଦ ହୋଇ ସେଠାକାର ବସ୍ତିକୁ ଦୋହଲାଇ ଦେଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେ ଅଂଚଳ କିଛି ସମୟ ପାଇଁ ଥରି ଉଠିଥିଲା। ବସ୍ତି ବାସିନ୍ଦାମାନେ କିଛି ସମୟ ପାଇଁ ଭୂମିକମ୍ପ ହେବା ଭଳି ଅନୁଭବ କରି ଭୟଭୀତ ହୋଇଥିଲେ। ଏହି ବିସ୍ଫୋରଣ ଫଳରେ ୫୦ରୁ ଅଧିକ ଲୋକଙ୍କର କୋଠାଘର କ୍ଷତିଗ୍ରସ୍ତ ହୋଇଛି। ଏଭଳି ପରିସ୍ଥିତିରେ ସାହିବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର