ସମ୍ବଲପୁର/ଝାରସୁଗୁଡ଼ା : କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିବା ଅଭିଯୋଗରେ ମନ୍ତ୍ରୀ ନବ ଦାସଙ୍କ ପିଏସ୍‌ଓ ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିବା ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସ୍ବର୍ଗତ ଦାସ ବିଧାୟକ ଥିବା ସମୟରୁ ମିତ୍ରଭାନୁ ତାଙ୍କର ପିଏସ୍‌ଓ ଭାବରେ ଦାୟିତ୍ବ ନିର୍ବାହ କରୁଥିଲେ। ଘଟଣା ଦିନ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଅବହେଳା କରିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ବିଭାଗର ଏହି ହାବିଲଦାର ରୢାଙ୍କର ମିତ୍ରଭାନୁ ଦେଓ ଏବଂ ଏସ୍‌ପି ସିକ୍ୟୁରିଟିର ଜଣେ କର୍ମଚାରୀ ନିଯୁକ୍ତ ଥିଲେ। ତେବେ ସେଦିନ ଏସ୍‌ପି ସିକ୍ୟୁରିଟିର ସୁରକ୍ଷା କର୍ମୀ ନବଙ୍କ ସହିତ ନଥିଲେ।

Advertisment

ଅନ୍ୟପକ୍ଷରେ ଗୁଇନ୍ଦା ବିଭାଗର ବିଫଳତା ‌ଯୋଗୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ ଯାଇଥିଲେ ବି ଏହି ବିଭାଗର ବଡ଼ ବାବୁମାନେ ସରକାରଙ୍କ ଏପର୍ଯ୍ୟନ୍ତ କୃପାଦୃଷ୍ଟିରେ ରହିଛନ୍ତି। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍ ନୀତିରେ ଆଜି ନବ ଦାସଙ୍କ ପିଏସ୍‌ଓଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ହେଲେ, ଏହି ବିଭାଗର ବଡ଼ ବଡ଼ିଆଙ୍କ ଉପରେ ସରକାର ହାତ ମାରିନାହାନ୍ତି।

publive-image

ଜଣେ ପୁଲିସ ଅଧିକାରୀ ଦ୍ବାରା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ଓଡ଼ିଶାର ଇତିହାସରେ ଏକ କଳଙ୍କିତ ଘଟଣା ଭାବେ ବିବେଚନା କରାଯାଉଛି। ଅପରପକ୍ଷରେ ଅନୁସନ୍ଧାନରୁ ଯାହା ଜଣାପଡ଼ୁଛି, ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ବହୁ ପୂର୍ବରୁ‌ ଯୋଜନା କରୁଥିଲେ। ଯୋଜନାବଦ୍ଧ ଭାବେ ଏହି ଘଟଣା ଭିଆଇ ଥିଲେ। ବ୍ରଜରାଜନଗର ଗାନ୍ଧି ଛକରେ ହୋଟେଲ କରିଥିବା ନିଜ ବଡ଼ ଭାଇ ସତ୍ୟ ଦାସଙ୍କୁ ଆଗୁଆ ଗାଁକୁ ପ‌ଠାଇ ଦେଇଥିବା ବେଳେ ଗତ ୧୫ ଦିନ ମଧ୍ୟରେ ଗୋପାଳ ନିଜେ ନବଙ୍କ ବାସଭବନ ପାଖକୁ ଅନେକ ଥର ଯାଇଥିବା ଏବଂ ନବଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ତଥ୍ୟ ରଖୁଥିବା କହାଯାଉଛି। ଏପରିକି ଦଳୀୟ କର୍ମୀ ଓ ନବଙ୍କ ବାସଭବନ ଆଖପାଖରେ ରହୁଥିବା ଲୋକଙ୍କୁ ବି ମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ପଚରାଉଚରା କରୁଥିଲେ।

ଗୋପାଳ ୨୯ ତାରିଖ ଘଟଣା ପୂର୍ବରୁ ହତ୍ୟା କରିବାକୁ ଚାହୁଥିବା ବେଳେ ସୁଯୋଗ ମିଳିପାରି ନଥିଲା। ଏତେ ସବୁ ହେବା ସତ୍ତ୍ବେ ଗୁଇନ୍ଦା ବିଭାଗ ନବ ଦାସଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୌଣସି ଆଗୁଆ ସୂଚନା ଦେଇପାରିନଥିଲା। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଜଣେ ଡିଏସ୍‌ପିଙ୍କ ଅଧୀନରେ ଗୁଇନ୍ଦା ବିଭାଗ କାର୍ଯ୍ୟ ସଂପାଦନ କରୁଛି। ଏହି ବିଭାଗରେ ଅନେକ ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଜିଲ୍ଲାରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭକରି ସୁରକ୍ଷା ସଂପର୍କିତ ଟିକିନିକି ଖବର ରଖୁଥିବା ଏହି ବିଭାଗର ବାବୁମାନେ କେମିତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିପାରିଲେ ନାହିଁ। ଯଦି, ଜାଣିଥିଲେ କାହିଁକି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରାଗଲା ନାହିଁ। ଏଭଳି ଅନେକ ପ୍ରଶ୍ନ ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି।