ନବରଙ୍ଗପୁର/ମାଲକାନଗିରି : ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା। ନବରଙ୍ଗପୁର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ହାତୀଗାଁ ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଦିନ ଶ୍ରୀ ପଣ୍ଡା ପହଞ୍ଚି ଜିଲ୍ଲାରେ ମାଓ କାର୍ଯ୍ୟକଳାପର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ମାଓବାଦୀଙ୍କ ସହ ଲଢ଼େଇ କରିବା ପାଇଁ ଯବାନ ଓ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥି ସହ ହାତୀଗାଁରେ ନୂତନ ସିଆର୍‌ପିଏଫ୍‌ କ୍ୟାମ୍ପ ସଂପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ ଉପସ୍ଥିତ ରହିଥିଲେ।

Advertisment

ସ୍ଥାନୀୟ ଅଧିବାସୀଙ୍କୁ ନେଇ ପୁଲିସ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ, ଔଷଧ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ନି‌ର୍ଦ୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ସମାଜରେ ହିଂସାକୁ କେବେ ବି ପ୍ରଶ୍ରୟ ଦିଆଯିବନି। ମାଓବାଦୀମାନେ ହିଂସା ଛାଡ଼ି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେବା ସହ ଆତ୍ମସମର୍ପଣ ପରେ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନାର ଲାଭ ଉଠାଇବାକୁ ନିବେଦନ କରିଥିଲେ।

ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ତୁଳସୀ ଗ୍ରାମରେ ଅବସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପରେ ଶ୍ରୀ ପଣ୍ଡା ପହଞ୍ଚି ମାଓ ମୁକାବିଲାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ବିଏସ୍‌ଏଫ୍ କ୍ୟାମ୍ପ ଅସ୍ଥାୟୀ ହୋଇଥିବା ବେଳେ ସ୍ଥାୟୀ କ୍ୟାମ୍ପ ନିର୍ମାଣ ପାଇଁ ସେ ଜାଗା ବୁଲି ଦେଖିଥିଲେ। ଉଭୟ ସ୍ଥାନରେ ହୋଇଥିବା ସମୀକ୍ଷା ‌ବୈଠକରେ ଅତିରିକ୍ତ ଡିଜିପି (ଅପରେସନ୍) ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ନବରଙ୍ଗପୁର ଏସ୍‌ପି ଏସ୍‌. ସୁଶ୍ରୀ, ମାଲକାନଗିରି ଏସ୍‌ପି ନୀତେଶ ୱାଧୱାନୀଙ୍କ ସମେତ ବହୁ ସଂଖ୍ୟାରେ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।