ଗିନିଜ୍‌ ବୁକ୍‌ ସାର୍ଟିଫିକେଟ ପାଇଲେ ପର୍ବତାରୋହୀ ଯୋଗବ୍ୟାସ

କେସିଙ୍ଗା/ରୁପ୍ରା: ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ତରଫରୁ ଫେସ୍‌ବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପ୍‌ଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା। କଳାହାଣ୍ଡିର ଏଭେରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଏହି ପ୍ରତିଯୋଗିତାରେ ଭାଗ ନେଇ ଗିନିଜ ବୁକ୍‌ର ସମ୍ମାନଜନକ ପ୍ରମାଣପତ୍ର ପାଇଛନ୍ତି। ଏହାକୁ ନେଇ କଳାହାଣ୍ଡି ଏସ୍‌ପି ଓ ଜିଲ୍ଲାପାଳ ଯୋଗବ୍ୟାସଙ୍କୁ ଜିଲ୍ଲାର ଗର୍ବ ବୋଲି ଟୁଇଟ୍‌ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ୯୯୫ଟି ଫଟୋ ଅପ୍‌ଲୋଡ୍‌ କରି ରେକର୍ଡ ସୃଷ୍ଟି କରିଛି ବୋଲି ଯୋଗବ୍ୟାସ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୂରା ଟିମ୍‌କୁ ଏହି ପୁରସ୍କାର ମିଳିଥିବା ବେଳେ ଏବେ ସେମାନଙ୍କୁ ମିଳିଥିବା କହିଛନ୍ତି। ଯାହା ଭାରତ ପାଇଁ ବି ଏକ ଗର୍ବ ବୋଲି କହିଛନ୍ତି।

ପ୍ରକାଶ ଥାଉକି ଏଭ୍‌ରେଷ୍ଟ ବିଜେତା ଶ୍ରୀ ଭୋଇ ଆଗରୁ ୭ ଟି ମହାଦେଶରୁ ୫ ଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ସଫଳତାର ସହିତ ଚଢ଼ିଛନ୍ତି। ରେକର୍ଡରେ ସ୍ଥାନ ପାଇବା ନେଇ ସମଗ୍ର ରାଜ୍ୟରୁ ବିଭିନ୍ନ ବ୍ୟକ୍ତି ବିଶେଷ, ବରିଷ୍ଠ ପ୍ରାଶାସନିକ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ପଦ୍ମଶ୍ରୀ ନୀଳମାଧବ ପଣ୍ଡା ମଧ୍ୟ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା କ୍ରୀଡା ସଂସ୍ଥା ସମ୍ପାଦକ ଜଗମୋହନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବାପା-ମା ତଥା ଶ୍ରୀମା-ଶ୍ରୀଅରବିନ୍ଦଙ୍କର ଆଶୀର୍ବାଦ ପାଇଁ ଏହି ସଫଳତା ପାଇଛନ୍ତି ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ସେ ଏହି ସଫଳତାକୁ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ସମ୍ବନ୍ଧିତ ଖବର