ରାଫେଲ ପ୍ରସଙ୍ଗରେ କଂଗ୍ରେସର ମହାମିଛ ଧରାପଡ଼ିଲା: ରୂପାନୀ

ଏଆଇସିସି ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା ଦାବି

ଭୁବନେଶ୍ବର : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସର ମହାମିଛର ନାଟକ ଧରାପଡ଼ିଛି। ରାଫେଲ କିଣା ପାଇଁ ହୋଇଥିବା ଚୁକ୍ତ‌ିରେ କେନ୍ଦ୍ର ସରକାର କୌଣସି ଖିଲାଫ କରି ନ ଥିବା ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହୋଇଛି। ଏହାକୁ ନେଇ କଂଗ୍ରେସ ଦଳ କରୁଥିବା ଦୁର୍ନୀତି ଅଭିଯୋଗକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଯାଇଛି। ଦେଶର ସାମରିକ ସୁରକ୍ଷା ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ମନଗଢ଼ା କାହାଣୀ କହି ଦେଶବାସୀଙ୍କୁ ଭ୍ରମରେ ପକାଇଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ସହ ଦଳର ମୁଖିଆ ପଦରୁ ଇସ୍ତଫା ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆହ୍ବାନ ଦେଇଛନ୍ତି।

ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ପକ୍ଷରୁ ସବୁ ରାଜ୍ୟରେ ବରିଷ୍ଠ ନେତାମାନଙ୍କ ଦ୍ବାରା ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଆ‌ୟୋଜନ କରାଯାଇ କଂଗ୍ରେସକୁ ଟାର୍ଗେଟ୍ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରୂପାନୀ କହିଲେ, ସ୍ବାଧୀନତା ପରେ ଦେଶରେ ବିନା ପ୍ରମାଣ ଆଧାରରେ ଏପରି ମିଛ କହିବାର ଅପଚେଷ୍ଟା କେବେ ଦେଖାଯାଇ ନ ଥିଲା। ଦୁର୍ଭାଗ୍ୟଜନକ କଥା ହେଲା ଏହି ଅପଚେଷ୍ଟାର ନେତୃତ୍ବ ନେଉଥିଲେ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳର ମୁଖିଆ। ୨୦୦୭ ମସିହାରେ ଉପା ସରକାର ରାଫେଲ ବିମାନ କିଣାର ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ୨୦୧୪ ସୁଦ୍ଧା ଏହାକୁ ଶେଷ କରିପାରି ନ ଥିଲେ। ୭ ବର୍ଷ କାଳ ରାଫେଲ କିଣା ପ୍ରକ୍ରିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଥିଲା। କେନ୍ଦ୍ରରେ ମୋଦୀ ସରକାର ଆସିଲା ପରେ ହିଁ ରାଫେଲ କିଣାଗଲା। କଂଗ୍ରେସ ସରକାର ସମୟରେ ଯେତେ‌ ବିମାନ କିଣାହୋଇଛି, ସବୁଥିରେ ଦଲାଲମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ହେଲେ ପ୍ରଥମ ଥର ପାଇଁ ବିଜେପିର ନରେନ୍ଦ୍ର ମୋଦୀଙ୍କର ସରକାରରେ ହିଁ ସରକାର ଓ ସରକାର ମଧ୍ୟରେ କିଣାବିକା ହେବା ଆରମ୍ଭ ହେଲା। ଯାହା ଫଳରେ ଦଲାଲମାନଙ୍କୁ ବେପାର ଶେଷ ହେଲା।

ଶ୍ରୀ ରୂପାନୀ ଆହୁରି କହିଥିଲେ, ଯେତେବେଳେ ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର ଚୋର କହିବେ, ତାହାଲେ ଦେଶର ଜନତା କେବେ ବି ମାନିବେ ନାହିଁ। ନିଜର କ୍ଷୁଦ୍ର ରାଜନୈତିକ ସ୍ବାର୍ଥ ପାଇଁ କଂଗ୍ରେସ ଦଳ ଏତେ ବଡ଼ ମିଛର ସାହାରା ନେଇଛି। ସୁପ୍ରିମକୋର୍ଟଙ୍କ ରାୟ କଂଗ୍ରେସର ସବୁ ରାଜନୈତିକ ଚାଲ୍‌କୁ ଧରାପକାଇଦେଇଛି। ରାୟ ଆସିଲା ପରେ କଂଗ୍ରେସ ଦଳ ଏତେ ତଳକୁ ଖସିଯାଇଛି ଯେ ସେମାନେ ସୁପ୍ରିମକୋର୍ଟ ଉପରେ ବି ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ କଂଗ୍ରେସ ଦଳ ନିର୍ବାଚନ ହାରିଲା ପରେ ଇଭିଏମ୍‌ ମେସିନ୍ ଉପରେ ପ୍ରଶ୍ନ ଉଠାଉଥିଲା। କଂଗ୍ରେସ ତା’ର ନିଜ ଭୁଲ୍‌କୁ ଲୁଚାଇବା ପାଇଁ ଦେଶର ସାମ୍ବିଧାନିକ ସଂସ୍ଥା ଉପରେ ବି ପ୍ରଶ୍ନ ଉଠାଇବାକୁ ପଛାଉ ନାହିଁ ବୋଲି ଶ୍ରୀ ରୂପାନୀ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର